15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଦିଲ୍ଲୀ ପ୍ରଦୂଷଣ: ଏବେ ବି ଟଳିନି ବିପଦ; କୋହଳ ହେଲା ଗ୍ରାପ୍‌-୪ କଟକଣା, ଗ୍ରାପ୍‌-୨ ଲାଗୁ

ଦିଲ୍ଲୀ ପ୍ରଦୂଷଣ: ଏବେ ବି ଟଳିନି ବିପଦ; କୋହଳ ହେଲା ଗ୍ରାପ୍‌-୪ କଟକଣା, ଗ୍ରାପ୍‌-୨ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣଜନିତ ସ୍ଥିତିରେ ସେପରି ଆଖିଦୃଶିଆ ସୁଧାର ଦେଖିବାକୁ ମିଳିନଥିଲେ ମଧ୍ୟ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଗ୍ରାପ୍‌)-୪ କଟକଣାକୁ କୋହଳ କରିଦିଆଯାଇଛି। ବାସ୍ତବରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ, ଦିଲ୍ଲୀ ପ୍ରଦୂଷଣ ହାରରେ ସୁଧାର ଆସୁଛି। ଦିଲ୍ଲୀର କେତେକାଂଶରେ ପ୍ରଦୂଷଣସ୍ତର ପୂର୍ବବତ୍ ରହିଥିଲେ ମଧ୍ୟ କେତେକ ଅଞ୍ଚଳରେ ସ୍ଥିତି ଏବେ ସ୍ୱାଭାବିକ ହୋଇଛି। ଗତ ଚାରି ଦିନ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ (ଏନ୍‌ସିଆର) ଏକ୍ୟୁଆଇ ସ୍ତର ୩୦୦ରୁ ଅଧିକ ହୋଇନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ରିପୋର୍ଟ ଦିଆଯିବା ପରେ ସୁପ୍ରିମକୋର୍ଟ ପ୍ରଦୂଷଣ ସ୍ଥିତି ସ୍ୱାଭାବିକ ହୋଇଥିବା ଅଞ୍ଚଳରୁ ଗ୍ରାପ୍‌-୪ କଟକଣାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ଗ୍ରାପ୍‌-୨ କଟକଣା ବଳବତ୍ତର ରହିବ। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କଲେ ପୁଣି ଲାଗୁ ହେବ ଗ୍ରାପ୍‌-୪ ପର୍ଯ୍ୟାୟ ପ୍ରତିବନ୍ଧକ ବୋଲି ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ବାୟୁ ଗୁଣବତ୍ତାରେ ଉନ୍ନତି ପରେ ଦିଲ୍ଲୀ ଏବଂ ଏହାର ପଡୋଶୀ ଅଞ୍ଚଳରେ ପ୍ରଦୂଷଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଗ୍ରାପ୍ (ଜିଆରଏପି) ନିୟମକୁ କୋହଳ କରିଦିଆଯାଇଛି। ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ-୪ ଏବଂ ୩ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମସ୍ତ ଅଞ୍ଚଳରେ ଗ୍ରାପ୍‌-୨ ବଳବତ୍ତର ରହିବ। ଅର୍ଥାତ୍ ଦିଲ୍ଲୀରେ ଏବେ ବି ଅନେକ ପ୍ରକାର ପ୍ରତିବନ୍ଧକ ଜାରି ରହିବ। ଏହି କଟକଣାରେ ଡାକ୍ତରଖାନା, ରେଳ ଏବଂ ମେଟ୍ରୋ ସେବା ବ୍ୟତୀତ ଅନ୍ୟ ସ୍ଥାନରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ନିଷେଧ ରହିବ। ପ୍ରତିଦିନ ରାସ୍ତାଘାଟ ସଫା ସାଙ୍ଗକୁ ପାଣି ସ୍ପ୍ରେ କରାଯିବ। ଏହା ବ୍ୟତୀତ କୋଇଲା ଓ କାଠ ଜାଳିବା ଉପରେ ନିଷେଧାଦେଶ ରହିଛି। ଆହୁରି ମଧ୍ୟ, କାରଖାନାଗୁଡ଼ିକରେ କେବଳ ଉପଯୁକ୍ତ ଇନ୍ଧନ ବ୍ୟବହୃତ ହେବ। ଜନସାଧାରଣଙ୍କ ପରିବହନର ସର୍ବାଧିକ ବ୍ୟବହାର ରୋକିବା ପାଇଁ ପାର୍କିଂ ଫି ବୃଦ୍ଧି କରାଯାଇଛି। ନିର୍ମାଣ ସ୍ଥାନଗୁଡିକରେ ଯାଞ୍ଚ ମଧ୍ୟ ବୃଦ୍ଧି କରାଯାଇଛି। ଶୁଣାଣି ସମୟରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗକୁ ଗ୍ରାପ୍‌-୩ର କିଛି ଅତିରିକ୍ତ ପଦକ୍ଷେପକୁ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୩୫୦ ଅତିକ୍ରମ କରେ, ତେବେ ତୃତୀୟ ପର୍ଯ୍ୟାୟ ପ୍ରତିବନ୍ଧକ ଲାଗୁ ହେବ ଏବଂ ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରେ, ତେବେ ଚତୁର୍ଥ ପର୍ଯ୍ୟାୟ ପ୍ରତିବନ୍ଧକ ପୁଣିଥରେ ଲାଗୁ ହେବ। ସୂଚନାଯୋଗ୍ୟ, ଗ୍ରାପ୍ ହେଉଛି ନିର୍ଦ୍ଦେଶାବଳୀ ଏବଂ ପଦକ୍ଷେପଗୁଡ଼ିକର ଏକ ସେଟ୍‌, ଯାହା ଦେଶର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକାରୀ ହୋଇଥିଲା। ଏହାର ୪ଟି ପର୍ଯ୍ୟାୟ ରହିଛି। ଗ୍ରାପ୍ -୧ ପ୍ରୟୋଗ ହୁଏ ଯେତେବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୧ରୁ ୩୦୦ ଅର୍ଥାତ୍ ଖରାପ ଅବସ୍ଥାରେ ପହଞ୍ଚିଯାଏ। ଯେତେବେଳେ ଏହା ୩୦୧ ରୁ ୪୦୦ ପର୍ଯ୍ୟନ୍ତ ପହଞ୍ଚେ ଗ୍ରାପ୍‌-୨ ଲାଗୁ ହୁଏ। ଯେତେବେଳେ ବାୟୁ ଗୁଣବତ୍ତା ଗୁରୁତର ଭାବରେ ଖରାପ ବୋଲି ଧରାଯାଏ, ଅର୍ଥାତ ଏକ୍ୟୁଆଇ ୪୦୧ରୁ ୪୫୦ ଛୁଇଁଲେ, ଗ୍ରାପ୍‌-୩ ଲାଗୁ ହୁଏ। ସେହିଭଳି ଏକ୍ୟୁଆଇ ୪୫୦ରୁ ଅଧିକ, ସାଂଘାତିକ ସ୍ଥିତିକୁ ଗଲେ ଗ୍ରାପ୍‌-୪ ଲାଗୁ କରାଯାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking