ନୂଆଦିଲ୍ଲୀ: ଶେଷରେ ଜନ ଆକ୍ରୋଶ ଆଗରେ ଦିଲ୍ଲୀ ସରକାର ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଛନ୍ତି । ରିପୋର୍ଟ ଅନୁସାରେ ଦିଲ୍ଲୀ ସରକାର ଏବେ ପୁରୁଣା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ଯେଉଁ ନୂଆ ନିୟମ ଲାଗୁ କରିଥିଲେ, ତାହାକୁ ଏବେ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ଏଥିସହ ସରକାର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ପୁରୁଣା ଗାଡ଼ିମଟର ତଥା ବାଇକ୍ଗୁଡ଼ିକ ହଟିବ ନାହିଁ । ଏହାର ଅର୍ଥତ୍ ୧୫ବର୍ଷରୁ ପୁରୁଣା ପେଟ୍ରୋଲ ଚାଳିତ ଗାଡିମଟର ତଥା ବାଇକ୍ ପୂର୍ବବତ୍ ରାସ୍ତାରେ ଚଳାଚଳ କରିପାରିବେ । ସେହିପରି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ କାର୍, ବାଇକ୍ ତଥା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଚଳାଚଳ ଜାରି ରଖିପାରିବେ ।
ଦିଲ୍ଲୀ ଏନ୍ସିଆର ଦେଶର ପ୍ରଥମ ଏପରି ଅଞ୍ଚଳ ଥିଲା ଯେଉଁଠାରେ ଯେଉଁଠାରେ ଇଓଏଲ୍ ଅର୍ଥାତ୍ ଏଣ୍ଡ୍ ଅଫ୍ ଲାଇଫ୍ ବା ‘ଜୀବନ ଶେଷ\’ ଇନ୍ଧନ ନିଷେଧ ନିୟମ ଲାଗୁ କରାଯାଇଥିଲା । ଗୁରୁଗ୍ରାମ ଏବଂ ଅନ୍ୟାନ୍ୟ ସହର ମଧ୍ୟ ନଭେମ୍ବର ସୁଦ୍ଧା ଏହାକୁ ଅନୁସରଣ କରିବେ ବୋଲି ଆଶା କରାଯାଉଥିଲା । ତେବେ ଦିଲ୍ଲୀ ସରକାରଙ୍କ ଏପ୍ରକାର ନିୟମକୁ ଦିଲ୍ଲୀବାସୀ କଡା ପ୍ରତିବାଦ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଦିଲ୍ଳୀରେ ଏକ ଜନଆନ୍ଦୋଳନ ସୃଷ୍ଟି ହୋଇଥିବା ବୋଲି କହିଲେ ଅତ୍ୟୁକ୍ତି ହେବନି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଦିଲ୍ଲୀ ସରକାର ଏହି ନିୟମକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି । ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ‘ଯାନ୍ତ୍ରିକ ଚ୍ୟାଲେଞ୍ଜ ଏବଂ ଜଟିଳ ବ୍ୟବସ୍ଥା\’ ଯୋଗୁଁ ଏପରି ଇନ୍ଧନ ନିଷେଧ ଲାଗୁ କରିବା କଷ୍ଟକର । ମନଜିନ୍ଦରଙ୍କ କହିବାନୁସାରେ ଖରାପଯାନଗୁଡ଼ିକୁ ଜବତ କରିବା ପାଇଁ ଏକ ବ୍ୟବସ୍ଥା ଉପରେ କାମ କରାଯାଉଛି । କିନ୍ତୁ ଯେଉଁମାନେ ସେମାନଙ୍କ କାର ଏବଂ ମୋଟରସାଇକେଲର ଯତ୍ନ ନିଅନ୍ତି ସେମାନଙ୍କୁ ଅଯଥାରେ ଦଣ୍ଡିତ କରାଯିବାର କୌଣସି ପ୍ରୟୋଜନ ନାହିଁ ।
କମିଶନ ଅଫ୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍)ଙ୍କ ପକ୍ଷରୁ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ଦିଲ୍ଲୀରେ ବାୟୁ ଗୁଣବତ୍ତାକୁ ଠିକ୍ ରଖିବା ତଥା ଯାନବାହନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ତେବେ ସିଏକ୍ୟୁଏମ୍ଙ୍କ ଏପ୍ରକାର ନିର୍ଦ୍ଦେଶ ଦ୍ୱାରା କେବଳ ଦିଲ୍ଲୀରେ ୬୨ ଲକ୍ଷରୁ ଅଧିକ ଯାନ – କାର, ଦୁଇ ଚକିଆ ଯାନ, ଟ୍ରକ୍ ଏବଂ ଭିଣ୍ଟେଜ୍ ଅଟୋମୋବାଇଲ୍ର ମାଲିକମାନେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ । ସିଏକ୍ୟୁଏମ୍ ଦାବି ଅନୁସାରେ ଦିଲ୍ଲୀର ପ୍ରଦୂଷଣ ହାର ମଧ୍ୟରୁ ୫୦%ରୁ ଅଧିକ ପ୍ରଦୂଷଣ କେବଳ ପୁରୁଣା ଯାନବାହନ କାରଣ ଯୋଗୁ ଆସିଥିଲା ।










