20.1 C
Bhubaneswar
Wednesday, January 14, 2026
Homeଖେଳସୁପର୍ ଓଭର୍‌ରେ ରାଜସ୍ଥାନକୁ ହରାଇ ଜିତିଲା ଦିଲ୍ଲୀ

ସୁପର୍ ଓଭର୍‌ରେ ରାଜସ୍ଥାନକୁ ହରାଇ ଜିତିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ ସିଜନ୍‌ର ପ୍ରଥମ ସୁପର୍ ଓଭର୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ସୁପର୍ ଓପରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୧ ରନ୍ କରିଥିଲା। ଦିଲ୍ଲୀ ପକ୍ଷରୁ କେଏଲ୍ ରାହୁଲ ଓ ଟ୍ରଷ୍ଟନ୍ ଷ୍ଟବ୍ସ ସନ୍ଦୀପ୍ ଶର୍ମାଙ୍କ ୪ଟି ବଲ୍‌ରେ ଲକ୍ଷ୍ୟ ହାସଲ କରିନେଇଥିଲେ। ପୂର୍ବରୁ ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୧୮୮ ରନ୍ କରିଥିଲା। ସ୍କୋର୍ ସମାନ ହେବାରୁ ମ୍ୟାଚ୍ ସୁପର ଓଭର୍‌କୁ ଯାଇଥିଲା।

୧୮୯ ରନ୍ ଲକ୍ଷ୍ୟର ଜବାବରେ ରାଜସ୍ଥାନ ଚମତ୍କାର ଆରମ୍ଭ କରିଥିଲା। ସଞ୍ଜୁ ସାମ୍‌ସନ୍ ଓ ଯଶସ୍ୱୀ ଜୟସ୍ୱାଲ୍ ଧୂଆଁଧାର ବ୍ୟାଟିଂ କରିଆସୁଥିବା ବେଳେ ବ୍ୟକ୍ତିଗତ ୩୧ ରନ୍ କରିଥିବା ସାମ୍‌ସନ୍ ରିଟାୟର୍ଡ ହର୍ଟ ହୋଇ ଫେରିଥିଲେ। ଏହାପରେ ରିୟାନ୍ ପରାଗ (୮)ଙ୍କୁ ୯ମ ଓଭର୍‌ରେ ଅକ୍ଷର ପଟେଲ୍ ବୋଲ୍ଡ ଆଉଟ୍ କରିଥିଲେ। ତେବେ ଯଶସ୍ୱୀ ଗୋଟିଏ ପଟେ ତିଷ୍ଠିରହି ୩୪ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିବା ପରେ କୁଲଦୀପ୍ ଯାଦବଙ୍କ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କୁ କ୍ୟାଚ୍ ଦେଇ ବିଦାୟ ନେଇଥିଲେ। ୩୭ ବଲ୍‌ରେ ୩ ଚୌକା ଓ ୪ ଛକା ସହାୟତାରେ ସେ ୫୧ ରନ୍ କରିଥିଲେ। ଯଶସ୍ୱୀଙ୍କ ପରେ ୨୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ନୀତୀଶ ରାଣା (୫୧) ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ରାଣାଙ୍କ ୨୮ ବଲ୍‌ର ଇନିଂସ୍‌ରେ ୬ ଚୌକା ଓ ୨ ଛକା ସାମିଲ ଥିଲା। ଆଉଟ୍ ପୂର୍ବରୁ ଧ୍ରୁବ ଜୁରେଲ୍‌ଙ୍କ ସହ ସେ ୪୯ ରନ୍ ଯୋଡ଼ିଥିଲେ। ଶେଷ ବଲ୍‌୍‌ରେ ରାଜସ୍ଥାନକୁ ବିଜୟ ପାଇଁ ୨ ରନ୍‌ର ଆବଶ୍ୟକ ଥିବା ବେଳେ ଶିମ୍‌ରନ୍ ହେଟ୍‌ମାୟର୍ ୧ ରନ୍ ନେବାପରେ ରନ୍‌ଆଉଟ୍ ହୋଇଥିଲେ। ଫଳରେ ରାଜସ୍ଥାନର ସ୍କୋର୍ ୪ ୱିକେଟ୍‌ରେ ୧୮୮ ରନ୍ ହୋଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ଭଲ ନଥିଲା। ତୃତୀୟ ଓଭର୍‌ରେ ଜୋଫ୍ରା ଆର୍ଚର ଓପ୍ନର୍ ଜ୍ୟାକ୍ ଫ୍ରେଜର୍‌-ମାକ୍‌ଗର୍କ (୯)ଙ୍କୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ କରୁଣ ନାୟର୍ ଖାତା ଖୋଲିବା ପୂର୍ବରୁ ରନ୍‌ଆଉଟ୍ ହୋଇଥିଲେ। ଏହାପରେ କେଏଲ୍ ରାହୁଲ ଓ ଅଭିଷେକ ପୋରେଲ୍ ଇନିଂସ୍ ସମ୍ଭାଳି ୬୩ ରନ୍‌ର ପାର୍ଟନର୍‌ଶିପ୍ କରିଥିଲେ। ତେବେ ଆର୍ଚର୍ ପୁଣିଥରେ ରାଜସ୍ଥାନ ପାଇଁ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବା ସହ ରାହୁଲଙ୍କୁ ଆଉଟ୍ କରି ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ରାହୁଲ ୩୨ ବଲ୍‌ରୁ ୨ଟି ଲେଖାଏ ଛକା ଓ ଚୌକା ସହାୟତାରେ ୩୮ ରନ୍ କରିଥିଲେ। ପରବର୍ତ୍ତୀ ଓଭର୍‌ରେ ପୋରେଲ୍ ୩୭ ବଲ୍‌ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୪୯ ରନ୍ କରି ଆଉଟ୍ ହୋଇଥିଲେ। ୧୭ତମ ଓଭର୍‌ରେ ଅକ୍ଷର ପଟେଲ୍ ୧୪ ବଲ୍‌ରୁ ଚାରି ଚୌକା ଓ ଦୁଇ ଛକା ସହାୟତାରେ ୩୪ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଟ୍ରିଷ୍ଟନ୍ ଷ୍ଟବ୍ସ ଓ ଆଶୁତୋଷ ଶର୍ମା ବିସ୍ଫୋରକ ଇନିଂସ୍ ଖେଳିଥିଲେ। ଏହା ବଳରେ ରାଜସ୍ଥାନ ଆଗରେ ଦିଲ୍ଲୀ ୧୮୯ ରନ୍‌ର ଲକ୍ଷ୍ୟ ରଖିଥିଲା। ଷ୍ଟବ୍ସ ୧୮ ବଲ୍‌ରେ ଦୁଇଟି ଲେଖାଏ ଛକା ଓ ଚୌକା ସହାୟତାରେ ୩୪ ଏବଂ ଅଭିଷେକ ୧୧ ବଲ୍‌ରେ ୧୫ ରନ୍ କରି ଅପରାଜିତ ଫେରିଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର୍ ଦୁଇଟି ୱିକେଟ୍ ନେଇଥିବା ବେଳେ ମହୀଶ ତୀକ୍ଷ୍‌ଣା ଓ ୱାନିନ୍ଦୁ ହସାରଙ୍ଗାଙ୍କୁ ୧-୧ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking