କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଜମଧରପୁରଠାରେ ୫ ଶହ ମେଟ୍ରିକ ଟନ ସଂରକ୍ଷଣ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାରର ଲୋକାର୍ପଣ । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଜମଧରପୁରଠାରେ ନିର୍ମିତ ଏହି ଶୀତଳଭଣ୍ଡାର ସ୍ଥାନୀୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଲୋକାର୍ପଣ କରାଯାଇଛି । ୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଶୀତଳ ଭଣ୍ଡାର ଦ୍ୱାରା ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲର ଚାଷୀ ଉପକୃତ ହେବେ । ଶୀତଳଭଣ୍ଡାର ଲୋକାର୍ପଣ କରି ବୈଜୟନ୍ତ କହିଛନ୍ତି ଚାଷୀ ଏଠାରେ ସେମାନଙ୍କ ଉତ୍ପାଦିତ ଆଳୁ, ଟମାଟୋ, ବାଇଗଣ, କୋବି, କଞ୍ଚାଲଙ୍କାଠୁ ନେଇ ବିଭିନ୍ନ ପନିପରିବାକୁ ସଂରକ୍ଷିତ କରି ରଖିପାରିବେ । ଫଳରେ ଚାଷୀଙ୍କୁ ଆଉ ଅଭାବୀ ବିକ୍ରିର ଶିକାର ହେବାକୁ ପଡିବନି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହେବ । ସେପଟେ ଦୀର୍ଘଦିନ ଧରି ଚାଷୀଙ୍କ ମୁଖ୍ୟ ଦାବି ପୂରା ହୋଇଥିବାରି ଚାଷୀ ମହଲରେ ବି ଖୁସି ଖେଳିଯାଇଛି । ଏହି ଅବସରରେ ଗୃହପାଳିତ ପଶୁମାନଙ୍କ ପାଇଁ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବା ଉଦଘାଟନ ହୋଇଛି । ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଡିଆରଡି ଅଧ୍ୟକ୍ଷ ଲଲିତା ବେହେରା , ମ୍ୟୁନିସିପାଲ ଅଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।









