-୨ହଜାର ନକ୍ସଲଙ୍କୁ ଘେରିଛନ୍ତି ୧୦ହଜାର ଯବାନ
-ଟାର୍ଗେଟ୍ରେ ହିଡମ୍ବା ଆଣ୍ଡ୍ କୋ.
-ଶାନ୍ତି କଥାବର୍ତ୍ତା ପାଇଁ ନକ୍ସଲଙ୍କ ପ୍ରସ୍ତାବ
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ର ସୀମାରେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀର ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି। ପ୍ରାୟ ୧୦ ହଜାର ଯବାନ ମାଓ କମାଣ୍ଡର୍ ହିଡମା ସହ ପାଖାପାଖି ୨ ହଜାରରୁ ଊର୍ଦ୍ଧ୍ୱ ନକ୍ସଲଙ୍କୁ ଘେରାବନ୍ଦୀ କରି ରଖିଛନ୍ତି। ୩ ଦିନ ହେବ ଗୁଳି ବିନିମୟ ଲାଗି ରହିଛି। ଆଉ ହେଲିକପ୍ଟର୍ରେ ବୋମାମାଡ଼ ହେଉଛି। ବିଜାପୁର ଜିଲ୍ଲାର କସ୍ତୁରବା ଗାଁ ନିକଟରେ ଥିବା କେରଗୁଟ୍ଟା ଜଙ୍ଗଲରେ ଚାଲିଛି ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର ବିଭିନ୍ନ ୟୁନିଟ୍ର ସୁରକ୍ଷା କର୍ମୀମାନେ ସାମିଲ ହୋଇଛନ୍ତି। ଏଥିରେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆର୍ଜି) ବସ୍ତର ଫାଇଟର୍ସ, ସ୍ପେଶାଲ୍ ଟାସ୍କ ଫୋର୍ସ(ଏସ୍ଟିଏଫ୍), ରାଜ୍ୟ ପୁଲିସର ସମସ୍ତ ୟୁନିଟ୍, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆର୍ପିଏଫ୍)ଏବଂ ଏହାର ଏଲିଟ୍ କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍(କୋବ୍ରା) ସମେତ ବିଭିନ୍ନ ୟୁନିଟ୍ର ସୁରକ୍ଷା କର୍ମୀମାନେ ଏହି ଅପରେସନରେ ସାମିଲ ଅଛନ୍ତି।ସ୍ଥାନୀୟ ଲୋକଙ୍କୁ ଗାଁରୁ କୌଣସି ସ୍ଥାନକୁ ନ ଯିବା ପାଇଁ ବାରଣ ଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ଏହି ଏନ୍କାଉଣ୍ଟର୍ରେ ବର୍ତ୍ତମାନ ସୁଦ୍ଧା ୫ ଜଣ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ମାଓନେତା ହିଡମା ତା’ର ବାଟାଲିୟନ ନମ୍ବର ୧ ସହ ମାଓବାଦୀଙ୍କର ଏକ ବଡ ଟିମ୍ ଏଠାରେ ଥିବାର ସୂଚନା ପାଇ ପ୍ରାୟ ୧୦ ହଜାର ଯବାନ ୭୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୨୦୦୦ ହଜାରରୁ ଊର୍ଦ୍ଧ୍ୱ ନକ୍ସଲଙ୍କୁ ଘେରି ରହିଥିବା କୁହାଯାଉଛି। ଯବାନଙ୍କୁ ସରକାର ହେଲିକପ୍ଟର୍ ଯୋଗେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଉଛନ୍ତି। କିନ୍ତୁ ୪୦ ଜଣ ଯବାନ ପ୍ରବଳ ଗରମରେ ଚାଲିବା ଯୋଗୁଁ ଅଚେତ ହେବା ଫଳରେ ସେମାନଙ୍କୁ ତୁରନ୍ତ ହେଲିକପ୍ଟର୍ ଯୋଗେ ଭଦ୍ରାଞ୍ଚଲମ୍ ହସପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଛତିଶଗଡ଼ର ଗୃହମନ୍ତ୍ରୀ ବିଜୟ ଶର୍ମା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଆତ୍ମସମର୍ପଣ ନକଲେ ମାଓବାଦୀ ନିପାତ କରାଯିବ ବୋଲି କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ଅପରେସନ ଯଦି ସଫଳ ହୁଏ ମାଓ ସଂଗଠନ ଏକ ପ୍ରକାର ଭୁଶୁଡ଼ିଯିବା କଥା କୁହାଯାଉଛି। ଏହି ଜଙ୍ଗଲରେ ମାଓବାଦୀମାନେ ବର୍ଷ ବର୍ଷ ଧରି ସୁରକ୍ଷିତ ଭାବେ ରହିବା ପାଇଁ ବଙ୍କର ପରି ଅନେକ ପଦ୍ଧତି ଆପଣାଇଛନ୍ତି। ଏବେ ନକ୍ସଲ ଏହି ଅପରେସନ୍ରେ ଭୟଭୀତ ହୋଇ ପୁଣି ପ୍ରେସ୍ ନୋଟ୍ ଜାରି କରିଛନ୍ତି। ଦକ୍ଷିଣ ବସ୍ତର ସବଜୋନାଲ୍ କମିଟିର ସଚିବ ରୂପେଶ ଅପରେସନ୍କୁ ତୁରନ୍ତ ବନ୍ଦକରି ଶାନ୍ତିବାର୍ତ୍ତା ପାଇଁ ସରକାର ଆସିବା ଦରକାର ବୋଲି କହିଛି।