24.1 C
Bhubaneswar
Monday, February 23, 2026
Homeଓଡିଶାନୂଆ ରୂପ ନେବ ଦେବ୍ରିଗଡ଼ ଅଭୟାରଣ୍ୟ

ନୂଆ ରୂପ ନେବ ଦେବ୍ରିଗଡ଼ ଅଭୟାରଣ୍ୟ

ଭୁବନେଶ୍ୱର :ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଅନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ନିଷ୍ପତ୍ତି ଦେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବା ସହିତ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ। ଏହି ଇକୋଟୁରିଜିମ୍ ପ୍ରକଳ୍ପ ସ୍ଥାନୀୟ ନିଯୁକ୍ତି ଏବଂ ପର୍ଯ୍ୟଟନକୁ ବଡ଼ ଗତି ଦେବ।

ଅପରପକ୍ଷରେ ସୂଚନା ଅନୁସାରେ, ଅଭୟାରଣ୍ୟର ପ୍ରାୟ ୧୦୦କିଲୋମିଟର ପରିସୀମା ଚାରିପାଖରେ ବାଡ଼ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଅତିରିକ୍ତ ପ୍ରାୟ ୧୪.୧୮ କୋଟି ଟଙ୍କା ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାଶିକୁ କାମ୍ପା କିମ୍ବା ଅନ୍ୟାନ୍ୟ ରାଜ୍ୟ ସରକାରୀ ପାଣ୍ଠି ମାଧ୍ୟମରେ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି। ଏହି ବାଡ଼ ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ହୋଇପାରିବ। ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକଳ୍ପ ଦେବ୍ରିଗଡ଼ରେ ଇକୋଟୁରିଜିମ୍ ଭିତ୍ତିଭୂମିର ବିକାଶ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ବଳିଷ୍ଠ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking