ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର । ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗୁରୁବାର ଦିନ ଚାରୋଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜୋରଦାର କରାଯାଇଛି । ସେମାନଙ୍କ ମଧ୍ୟରୁ ଶତାଧିକ ଶ୍ରଦ୍ଧାଳୁ, ଯେଉଁମାନେ ମଚେଲ ମାତାଙ୍କୁ ଦର୍ଶନ କରିବାକୁ ଆସିଥିଲେ । ମଚାଇଲ ମାତା ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ଯାଉଥିବା ବେଳେ ହଠାତ ଫ୍ଲାସ ଫ୍ଲଡ୍ ମାଡ଼ି ଆସିଥିଲା । ଫଳରେ ତୀର୍ଥଯାତ୍ରୀ ମାନେ ପ୍ରକୃତିର ତାଣ୍ଡବ ଭିତରେ ଫସିଯାଇଥିଲେ । ଏହି ଅଘଟଣରେ ଦୁଇ ଜଣ ସିଆଇଏସ୍ଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମଚେଲ ମାତା ଯାତ୍ରା ପାଇଁ ହଜାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିବା ବେଳେ ବିପର୍ଯ୍ୟୟ ଘଟିଥିଲା । ବର୍ଷାରେ ପାହାଡ଼ ଧସି ଆକସ୍ମିକ ବନ୍ୟାରେ ଅନେକ ଶ୍ରଦ୍ଧାଳୁ, ଅସ୍ଥାୟୀ ଦୋକାନ ଓ ସେନାର ସୁରକ୍ଷା ଘର ଭାସି ଯାଇଥିଲା।ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଶତାଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି। ଏନ୍ଡିଆର୍ଏଫ୍, ସେନା, ପୁଲିସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସମନ୍ୱିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖରାପ ପାଗ ଯୋଗୁଁ ହେଲିକପ୍ଟର ସହାୟତା ବାଧାପ୍ରାପ୍ତ ହୋଇଥିବା ବେଳେ ଜେସିବି ଓ ଅନ୍ୟାନ୍ୟ ଯନ୍ତ୍ର ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜା ଜାରି ରହିଛି ।










