କୋଲକାତା: ଏକ ୭ ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରିଥିବା ବେଳେ ରାଜୀବ ଘୋଷ ନାମକ ଅପରାଧୀକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ସମୟରେ କୋର୍ଟ ଏପ୍ରକାର ଘଟଣାକୁ “ବିରଳରୁ ଅତିତମ ବିରଳ” ଭାବେ ଅଭିହିତ କରିଛନ୍ତି। ଏଥିସହ କୋର୍ଟ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁସାରେ କୋଲକାତାର ବୁର୍ଟୋଲା ଅଞ୍ଚଳରେ ଫୁଟପାଥ୍ରେ ବସବାସ କରୁଥିବା ଏକ ଦମ୍ପତିଙ୍କୁ ଶିଶୁକନ୍ୟା ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଶିଶୁଟି ଫୁଟ୍ପାଥରେ କାନ୍ଦୁଥିବା ଏବଂ ଗୁରୁତର ଆଘାତପ୍ରାପ୍ତ ଅବସ୍ଥାରେ ଠାବ କରିଥିଲେ ପରିବାର ଲୋକେ। ଡାକ୍ତରୀ ପରୀକ୍ଷାରୁ ଶିଶୁକନ୍ୟାର ଯୌନାଙ୍ଗରେ ଆଘାତ ହୋଇଥିବା ଜଣାପଡିଥିଲା ଯାହାକି ଦୁଷ୍କର୍ମଜନିତ ଥିବା ଡାକ୍ତରୀ ରିପୋର୍ଟ ସ୍ପଷ୍ଟ କରିଥିଲା।
ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ତୁରନ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତ ରାଜୀବ ଘୋଷକୁ ଚିହ୍ନଟ କରିଥିଲା ଏବଂ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗର ଝାରଗ୍ରାମ ଅଞ୍ଚଳରୁ ରାଜୀବ ଘୋଷକୁ ଗିରଫ କରାଯାଇଥିଲା। ୧୭ ଫେବୃଆରୀ, ୨୦୨୫ରେ, କୋର୍ଟ ରାଜୀବ ଘୋଷ୍କୁ ପୋକ୍ସୋ ଆଇନର ଧାରା ୬ (ଶିଶୁ ଉପରେ ଉତ୍ତେଜିତ ଯୌନ ନିର୍ଯାତନା) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ରିପୋର୍ଟ ଅନୁସାରେ ପୀଡିତା ଶିଶୁକନ୍ୟା ଏବେ ବି କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କୋର୍ଟ ରାଜୀବ ଘୋଷକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।










