ନବରଙ୍ଗପୁର: ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡ଼ିରହିଛି ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ । ପୂଜାରୀଭରଣ୍ଡୀ ଗ୍ରାମର କିଛି ପରିବାର ନିଜ ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ଏହି ଭିତରେ ବିଳମ୍ବିତ ରାତିରେ ଜଣେ ଧର୍ମ ପରିବର୍ତ୍ତନ କରିଥିବା ପରିବାରଙ୍କ ମଧ୍ୟରୁ ଚଇତି ହରିଜନ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ସେମାନେ ହିନ୍ଦୁଧର୍ମ ଛାଡ଼ିଥିବା ଯୋଗୁଁ ସେମାଙ୍କୁ ଗ୍ରାମର ହିନ୍ଦୁ ଶ୍ମଶାନରେ ଶବ ସତ୍କାର ପାଇଁ ଜାଗା ଦେବୁ ନାହିଁ ବୋଲି ଜିଦ ଧରି ବସିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ଉମରକୋଟ ପୁଲିସ ଉପସ୍ଥିତ ରହି ଲୋକଙ୍କୁ ବୁଜାସୁଝା କରୁଥିବା ବେଳେ ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅନ୍ୟ ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାରବର୍ଗ ।










