ବାହାନଗା : ବାହାନଗା ବ୍ଲକ୍ର ହଜାର ହଜାର ମତ୍ସ୍ୟଜୀବୀ ସମୁଦ୍ରକୁ ପ୍ରତିଦିନ ମାଛ ଧରିବାକୁ ଯାଉଥିବାବେଳେ ମଙ୍ଗଳବାର ଜଣେ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ବୋଟ୍ରୁ ଖସିପଡ଼ି ନିଖୋଜ ହୋଇଥିଲେ । ପରେ ମତ୍ସ୍ୟଜୀବୀଙ୍କ ଶବ ସହଯୋଗୀ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ବାହାନଗା ବ୍ଲକ୍ ଖରାସାହାପୁର ପଞ୍ଚାୟତର ବହୁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଜ ନିଜର ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ପଞ୍ଚୁବିଶା ଜେଟିରୁ ଲକ୍ଷ୍ମୀପ୍ରିୟା ବୋଟ୍ରେ ସ୍ଥାନୀୟ ଅଞ୍ଚଳର ୮ଜଣ ମତ୍ସ୍ୟଜୀବୀ ଶ୍ୟାମସୁନ୍ଦର ମାଝୀ, ନିରଞ୍ଜନ ମାଝୀ, ଶ୍ରୀଧର ମାଝୀ, ବାଙ୍କବିହାରୀ ମାଝୀ, ପାଗଲା ମାଝୀ, କରୁଣାକର ମାଝୀ, ଅଜୟ ମାଝୀ ଓ ରଙ୍ଗଲାଲ ମାଝୀ ମଙ୍ଗଳବାର ସକାଳେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ ।
ରାତିରେ ସମୁଦ୍ରରେ ଜାମୁକା ମୁହାଣ ଓ ୧୨ହଜାରିଆ ମଧ୍ୟବର୍ତ୍ତୀ ସ୍ଥାନରେ ଜାଲ ବିଛାଇ ମାଛ ଧରୁଥିଲେ । ଅଚାନକ ରଙ୍ଗଲାଲ ମାଝୀ ବୋଟରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ରଙ୍ଗଲାଲ୍ଙ୍କୁ ଅନ୍ୟ ମତ୍ସ୍ୟଜୀବୀମାନେ ବହୁ ଖୋଜାଖୋଜି କରି ନପାଇ ବୋଟ ମାଲିକ ସହ ରଙ୍ଗଲାଲଙ୍କ ଘରକୁ ଖବର ଦେଇଥିଲେ । ଆଜି ସକାଳେ ଅନ୍ୟ ସମସ୍ତ ମତ୍ସ୍ୟଜୀବୀ ଘରକୁ ଫେରି ସହଯୋଗୀ ମତ୍ସ୍ୟଜୀବୀଙ୍କୁ ଖବର ଦେଇଥିଲେ । ମାଛ ଧରିବାକୁ ଯାଉଥିବା ଅନ୍ୟ ମତ୍ସ୍ୟଜୀବୀମାନେ ସମୁଦ୍ରର ବାରହଜାରିଆ ନିକଟରେ ଜଳରେ ଏକ ଶବ ଭାସୁଥିବା ଦେଖି ପଞ୍ଚୁବିଶା ଜେଟିର ଅନ୍ୟ ମତ୍ସ୍ୟଜୀବୀଙ୍କୁ ଖବର ଦେଇଥିଲେ । ରଙ୍ଗଲାଲଙ୍କ ସହଯୋଗୀ ମତ୍ସ୍ୟଜୀବୀ ଏକ ବୋଟ୍ ନେଇ ସମୁଦ୍ରରେ ବାରହଜାରିଆ ନିକଟରେ ପାଖାପାଖି ୭୦ଫୁଟରୁ ଅଧିକ ଜଳରେ ରଙ୍ଗଲାଲଙ୍କ ଶବ ଭାସୁଥିବା ଦେଖି ଚିହ୍ନଟ କରିବା ସହ କୂଳକୁ ଫେରିଥିଲେ । ପରେ ରଙ୍ଗଲାଲ୍ଙ୍କ ମୃତ୍ୟୁ ନେଇ ପରିିବାରରେ ଶୋକାକୁଳ ପରିସ୍ଥିତି ଦେଖାଦେଇଥିଲା । ପୁଲିସ ନିର୍ଦ୍ଦେଶରେ ଏକ ଗାଡ଼ି ଯୋଗେ ରଙ୍ଗଲାଲଙ୍କ ମୃତଦେହ ସୋର ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ମାଛ ଧରୁଥିବାବେଳେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ପାଇଁ ସାହାଯ୍ୟ ପାଇଁ ଦାବି ହୋଇଛି ।