17.1 C
Bhubaneswar
Sunday, February 8, 2026
Homeଓଡିଶାଝିଅର ଆତ୍ମହତ୍ୟା, ପ୍ରେମିକକୁ ଦାୟୀକଲେ ପରିବାର

ଝିଅର ଆତ୍ମହତ୍ୟା, ପ୍ରେମିକକୁ ଦାୟୀକଲେ ପରିବାର

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ ବାରିକ(୧୬) ଗତ ୧୩ ତାରିଖ ଦିନ ରାତିରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାବେଳେ ଏହି ଘଟଣା ପାଇଁ ଝିଅର ପରିବାର ଲୋକ ତାଙ୍କ ପ୍ରେମିକଙ୍କୁ ଦାୟୀ କରିଛନ୍ତି। ଏହାକୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି। ରୂପଶ୍ରୀ ବାରିକ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ଏଭଳି ଆତ୍ମହତ୍ୟା ପଛରେ ପ୍ରେମିକ ସମ୍ପୃକ୍ତ ଥିବା ତାଙ୍କ ପିତା ଆଜି ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ମୃତ୍ୟୁ ସମୟରେ ଝିଅ ଉକ୍ତ ପ୍ରେମିକ ସୁଦର୍ଶନ ବାରିକର ଫଟୋ ଧରି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଉକ୍ତ ଯୁବକ ନରଣପୁର ଗ୍ରାମରେ ମାମୁ ସଞ୍ଜୟ କୁମାର ପଲେଇଙ୍କ ଘରେ ରହୁଥିଲେ। ତାଙ୍କ ନାମ ସୁଦର୍ଶନ ବାରିକ। ସେ ସମ୍ପୃକ୍ତ ଯୁବତୀଙ୍କୁ ୨ ବର୍ଷ ହେଲା ଭଲ ପାଇ ଆସୁଥିଲେ। ମୃତ୍ୟୁ ପୂର୍ବରୁ ଏକ ମୋବାଇଲ ମେସଜ୍ ପାଇବା ପରେ ଯୁବତୀ ବିଚଳିତ ହୋଇ ଏଭଳି ଆତ୍ମହତ୍ୟା କରିଥିବା ତାଙ୍କ ପିତା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ମେସେଜ୍‌ରେ ସୁଦର୍ଶନ ଏବଂ ରୂପାଲି ଲଭ ଷ୍ଟୋରୀ ଇଜ୍ ଏଣ୍ଡିଂ, ହମାରି ଅଧୁରି କାହାଣୀ ଏଭଳି ଅନେକ ମେସେଜ୍ ଝିଅର ମୋବାଇଲରୁ ମିଳିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି। ଝିଅକୁ ୨ ବର୍ଷ ହେବ ଭଲ ପାଇ ଆସୁଥିବାବେଳେ ଭବିଷ୍ୟତରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଏହାକୁ ନେଇ ଅଭିଯୁକ୍ତ ଯୁବକଙ୍କୁ ପଚାରିବାରୁ ଧମକ ଦେଇ ବାହା ହେବାର ନାହିଁ କିମ୍ବା କିଛି ଆବଶ୍ୟକତା ନାହିଁ ବୋଲି ବିବାହକୁ ଏଡ଼ାଉଥିଲା। ୨ ମାସ ପୂର୍ବରୁ ସେ ନିଜ ଘର ବଡ଼ହଳ ଗ୍ରାମକୁ ଚାଲି ଯାଇଥିଲା। ପୂର୍ବରୁ ମଧ୍ୟ ହାତକାଟି ଉକ୍ତ ଯୁବକଙ୍କୁ ଭଲ ପାଏ ବୋଲି ଯୁବତୀ ଜଣଙ୍କ ରକ୍ତରେ ଚିଠି ଲେଖିଥିଲେ। ଏହା ବ୍ୟତୀତ ସେ ବାରମ୍ବାର ଝିଅକୁ ବିଭିନ୍ନ ପ୍ରକାର ବ୍ଲାକମେଲିଂ କରି ଆସୁଥିଲେ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି। ଏଣୁ ତାଙ୍କଠାରୁ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଓ ନିର୍ଯାତନା ପାଇ ଝିଅ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଟାଉନ ଥାନାରେ ଆଜି ଅଭିଯୋଗ କରିଛନ୍ତି। ଝିଅର ମୃତ୍ୟୁ ପାଇଁ ଉକ୍ତ ଯୁବକଙ୍କୁ ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସ ନିକଟରେ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking