ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଛି । ଏହାରି ଭିତରେ କଂଗ୍ରେସରେ ବଡ ହଲଚଲ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ ଉଠାଉନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କହିଛନ୍ତି, ପିସିସି ସଭାପତି ଏବଂ ଏଆଇସିସି ନେତା ଯୋଗାଯୋଗ କରୁଛନ୍ତି । ଫୋନ ନ ଉଠାଇଲେ ବି ତାଙ୍କ ଉପରେ ଭରସା ରଖିଛି । ଦାଶରଥି ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ କହିଛନ୍ତି କାଡାମ । ଆହୁରି କହିଛନ୍ତି, ଯେଉଁମାନେ କ୍ରସ ଭୋଟିଂ କରିବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସଫଳ ହେବ ନାହିଁ କହିଛନ୍ତି କାଡାମ । ତେବେ ଦାସରଥି ଗମାଙ୍ଗ ଫୋନ ନ ଉଠାଇବା କେଉଁଠି ନା କେଉଁଠି କଂଗ୍ରେସକୁ କ୍ରସ ଭୋଟିଂର ଭୟ ଘାରୁଛି କି । କଂଗ୍ରେସ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବ ତ ତାହା ଏବେ ବଡ ପ୍ରଶ୍ନ । ଆସନ୍ତା ୧୬ରେ ରାଜ୍ୟସଭା ନିର୍ବାଚନ ତାହା ପୂର୍ବରୁ କଂଗ୍ରେସରେ ଏଭଳି ସ୍ଥିତ ଦେଖାଦେଇଛି । କିଏ ହ୍ୱିପ ଭାଙ୍ଗି ଭୁବନେଶ୍ୱର ଛାଡି ପଳାଉଛନ୍ତି ଆଉ କେହି ଫୋନ ଉଠାଉନାହାନ୍ତି । ଆଉ କେତେ ବିଧାୟକ ଦଳରେ ଥାଇ ମଧ୍ୟ କିଛି ଜାଣି ନଥିବା କହୁଛନ୍ତି । ଅସନ୍ତୋଷ ପ୍ରକାଶ କରି କ୍ଷୋଭ ଝାଡୁଛନ୍ତି ।










