ରାୟଗଡ଼ା: ଲଭ୍ କେ ଲିଏ କୁ୍ଛ ଭି କରେଗା। ଯାହାର ଏକ ଜୀବନ୍ତ ପ୍ରମାଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ। ଅବୁଝା ପ୍ରେମିକାକୁ ଫେରି ପାଇବା ପାଇଁ ଜଣେ ଯୁବକ ଗତକାଲି ଶିବରାତ୍ରୀରେ ଯେଉଁ ଭଳି କଷ୍ଟସାଧ୍ୟ ମାନସିକ ରଖି ମହାଦେବଙ୍କ ପାଖକୁ ଯାଇଛନ୍ତି- ତାକୁ ନେଇ ବେଶ୍ ଚର୍ଚ୍ଚା। ଠାକୁର ଚାହିଁଲେ ସବୁ ସମ୍ଭବ। ପାଖକୁ ଫେରିବ ଅବୁଝା ପ୍ରେମିକା। ସତେଜ ବି ହେବ ପୁରୁଣା ପ୍ରେମ। ଏଇ ବିଶ୍ୱାସ ରଖି ଜାଗରରେ ଯୁବକଙ୍କ ଅଭିନବ ଶିବ ଭକ୍ତି। ଗାମୁଛା ଖଣ୍ଡେ ଥୋଇ ଦଣ୍ଡ ପ୍ରଣାମ କରି କରି ୪ କିଲୋମିଟର ବାଟ ଅତିକ୍ରମ କରିଛନ୍ତି ମୁନିଗୁଡା ବ୍ଲକ ଡାଙ୍ଗବାଡ଼ି ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ ଲୋକନାଥ ଡଙ୍ଗରି। ଦଣ୍ଡ ପ୍ରଣାମ କରି ଆମ୍ଳାଭଟ୍ଟା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି କପିଳେଶ୍ୱର ମହାଦେବଙ୍କୁ ଜଣାଇଛନ୍ତି ମନ କଥା। ସୂଚନାରୁ ଜଣାପଡ଼ିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗବାଡ଼ି ଗ୍ରାମର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡ଼ଙ୍ଗରି ଜଣେ ଯୁବତୀଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ ହୋଇଯାଇଛି।
ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ଲୋକନାଥ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଚେନ୍ନାଇର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ଳାଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡ଼ି ଗଡ଼ିି ଆସି ଶିବଙ୍କୁ ଦର୍ଶନ କରି ମାନସିକ କରିଥିଲେ। ରବିବାର ଭୋର ୩ଟାରୁ ଲୋକନାଥ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡି ଗଡି ମନ୍ଦିରରେ ପହଁଚିଥିଲେ। ଆଜି ପୁଅର ଶାଶ୍ୱତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କୀୟ ରାସ୍ତାରେ ଗଡି ଗଡି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ଲୋକନାଥ ପ୍ରେମରେ କଣ ଭୁଲ ହୋଇଛି ଏବଂ କାହାକୁ ପ୍ରେମ କରୁଛନ୍ତି ପ୍ରକାଶ କରିନଥିବା ବେଳେ ଭୁଲ ଧାରଣା ଦୂର ହୋଇ ତାଙ୍କ ପ୍ରେମ ସଫଳ ହେଉ ବୋଲି ମାନସିକ କରିଥିବା ପ୍ରକାଶ କରିଥିଲେ।










