ସୁନ୍ଦରଗଡ: ରାଜଗାଙ୍ଗପୁର ଡାଲମିଆଁ ସିମେଣ୍ଟ କାରଖାନା ଦୁର୍ଘଟଣା ୩ ଜଣ ନିଖୋଜ ଘଟଣା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ ୫ଟି ଉଦ୍ଧାରକାରୀ ଦଳ । ଓଡ୍ରାଫର ୨ଟି ଦଳ ଓ ଅଗ୍ନିଶମବାହିନୀ ବି ନିୟୋଜିତ । ସମ୍ପୂର୍ଣ୍ଣ ଉଦ୍ଧାର ପାଇଁ ଆହୁରି ୫ ଘଣ୍ଟା ସମୟ ଲାଗିପାରେ ବୋଲି ସୂଚନା ମିଳିଛି । ସେପଟେ କାରଖାନା ବାହାରେ ଭିଡ ଜମାଇଛନ୍ତି ନିଖୋଜଙ୍କ ପରିବାର । ପ୍ରବଳ ଉତ୍ତେଜନା ବି ଲାଗିରହିଛି । ଗୁରୁବାର ସନ୍ଧ୍ୟା ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ବଙ୍କର୍ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା । ବଙ୍କର୍ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ । ବହୁ ସମୟ ପର୍ଯ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଏହି ଖବର ପରେ କାରଖାନା ଭିତରକୁ କମ୍ପାନୀର ୩ଟି କ୍ରେନ୍ ଓ ୩ଟି ନିଜସ୍ୱ ଆମ୍ବୁଲାନ୍ସ ଯାଇଥିଲା । ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଥିଲେ । ଦୁର୍ଘଟଣାରେ ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଂଜିତ ଭୋଳଙ୍କ ପତ୍ତା ମିଳୁନାହିଁ । ସେପଟେ ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଦୃଶ୍ୟ । କାରଖାନା ଭିତରେ ବ୍ଲାଷ୍ଟ ହୋଇ କୋଇଲା ଭର୍ତ୍ତି ବଙ୍କର ତଳେ ଚାପି ହୋଇଥିଲେ କର୍ମଚାରୀ ।