17.1 C
Bhubaneswar
Tuesday, December 9, 2025
Homeଓଡିଶା‘ସିଏସସି’ ମୋଦୀ ସରକାରରେ ୪୫ ଲକ୍ଷ କୋଟି ଟଙ୍କାର କାରବାର କରି ଦେଶର ଅର୍ଥନୀତିକୁ ବଢାଇଛି...

‘ସିଏସସି’ ମୋଦୀ ସରକାରରେ ୪୫ ଲକ୍ଷ କୋଟି ଟଙ୍କାର କାରବାର କରି ଦେଶର ଅର୍ଥନୀତିକୁ ବଢାଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସରକାରୀ ସେବାକୁ ସୁବିଧାରେ ଏବଂ ନିରପେକ୍ଷ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ କମନ୍ ସର୍ଭିସ ସେଣ୍ଟର (ସିଏସସି) ଏକ ପ୍ରମୁଖ ମାଧ୍ୟମ ହୋଇଛି । ପୂର୍ବରୁ କଂଗ୍ରେସ ସରକାରରେ ଦିଲ୍ଲୀରୁ ହିତାଧିକାରୀଙ୍କ ପାଖକୁ ଆସୁଥିବା ଅର୍ଥର ବାଟମାରଣା ହେଉଥିଲା । ମାତ୍ର ଏବେ ଡବଲ ଇଞ୍ଜିନ ସରକାରରେ ଶାସନରୁ ଦୁର୍ନୀତି ଦୂର ହୋଇଛି, ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ସିଏସସି କେନ୍ଦ୍ର ମାଧ୍ୟମରେ ଲୋକଙ୍କ ଖାତାରେ ସିଧାସଳଖ ଟଙ୍କା ପହଞ୍ଚୁଛି ବୋଲି ଶନିବାର ଭୁବନେଶ୍ୱରରେ ‘କମନ୍ ସର୍ଭିସ ସେଣ୍ଟର୍’ର ୧୬ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସିଏସସି ସେଣ୍ଟର ଉପରେ ନିଜର ଅନୁଭୂତି ପ୍ରକାଶ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଗାଁରୁ ସହର ପର୍ଯ୍ୟନ୍ତ ସାଧାରଣ ସେବା କେନ୍ଦ୍ର ଗୁଡ଼ିକ ଲୋକଙ୍କ ହାତପାହାନ୍ତାରେ ପହଞ୍ଚିଛି । ଲୋକମାନେ ଏହି ସେବା ଦ୍ୱାରା ବିଶେଷ ଉପକୃତ ହେଉଛନ୍ତି । ଏଭଳି ବ୍ୟବସ୍ଥାକୁ ୧୬ ବର୍ଷ ପୂରଣ ହେବା ଅବସରରେ ସିଏସସି ସେଣ୍ଟର ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ସାଧାରଣ ସେବା କେନ୍ଦ୍ର ଗୁଡ଼ିକର ରୂପରେଖ ବଦଳିଛି । ସିଏସସି ଯୋଜନା ଡିଜିଟାଲ୍ ଇଣ୍ଡିଆର ଏକ ମୂଳଦୁଆ ପାଲଟିଛି । ଡିଜିଟାଲ୍ ବିଭାଜନକୁ ଦୂର କରି ସାରା ଦେଶରେ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଛି । ସିଏସସି ମାଧ୍ୟମରେ ବିଗତ ୧୧ ବର୍ଷରେ ୪୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏକ ବଡ଼ ଉପଲବ୍ଧି । ଏହା ଦ୍ୱାରା ଦେଶର ଅର୍ଥନୀତି ମଜଭୂତ୍ ହୋଇଛି ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭ ହିତାଧିକାରୀଙ୍କୁ ପହଞ୍ଚାଇବାରେ ସିଏସସି ସେଣ୍ଟରର ବଡ ଭୂମିକା ରହିଛି । ସୁଭଦ୍ରା ଯୋଜନା ସମେତ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଲାଭ, ବ୍ୟାଙ୍କିଙ୍ଗ ସେବା, ଆଧାର ସେବା, ଶିକ୍ଷା ସେବା, ଡିଜିଟାଲ ସାକ୍ଷରତା, ଟେଲିମେଡିସିନ୍, ବୀମା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଅତ୍ୟାବଶ୍ୟକ ସରକାରୀ ସେବା ପ୍ରଦାନ ଏବଂ ସମ୍ପ୍ରଦାୟକୁ ସଶକ୍ତ କରି ଡିଜିଟାଲ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବାରେ ସିଏସସି ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସିଏସସି ସେଣ୍ଟର ଅନେକ ଲୋକଙ୍କୁ ରୋଜଗାର ଦେଇଛି । ଓଡିଶାରେ ସମସ୍ତ ୩୦ଟି ଜିଲ୍ଲାରେ ୩୫,୦୦୦ରୁ ଅଧିକ ସକ୍ରିୟ ସିଏସସି କେନ୍ଦ୍ର ଡିଜିଟାଲ୍ ସଶକ୍ତିକରଣକୁ ଆଗେଇ ନେଉଛନ୍ତି । ରାଜ୍ୟର ସବୁ ସିଏସସି ସେଣ୍ଟରର ଟର୍ଣ୍ଣଓଭର ବାର୍ଷିକ ୫ ହଜାର କୋଟି ଟଙ୍କା ରହିଛି । ଏହି ୫ ହଜାର କୋଟି ଟଙ୍କାକୁ ଆଗାମୀ ୪ ବର୍ଷ ଭିତରେ ୧୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ପଡ଼ିବ । ଗ୍ରାହକଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ ସିଏସସି କର୍ମଚାରୀଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।

ରାଜ୍ୟରେ ଇଣ୍ଟରନେଟ୍ ସଂଯୋଗୀକରଣକୁ ଅଧିକ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ବିହିତ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନର ସମୟକୁ ଦୃଷ୍ଟିରେ ରଖି ସିଏସସି ମାଧ୍ୟମରେ ସବୁପ୍ରକାର ବ୍ୟବସ୍ଥା କରିବା ପାଇଁ ଆମ ସରକାର ବଦ୍ଧ ପରିକର । ଥାନାରେ ମାମଲା ରୁଜୁ କରିବା ହେଉ, ଏନସିଇଆରଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ପ୍ରଦାନ କରିବା ହେଉ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା, ସବୁ କିଛି ସିଏସସସି ମାଧ୍ୟମରେ କରିବା ଭଳି ବ୍ୟବସ୍ଥା ହେବା ଦରକାର । ଆଜି ଦେଶରେ ୟୁପିଆଇ ଭଳି ଡିଜିଟାଲ ପ୍ଲାଟଫର୍ମ ବିଶ୍ୱରେ ନୂଆ ପରିଚୟ ତିଆରି କରିଛି । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏଆଇ ଏବଂ ଟେକ୍ନୋଲୋଜିର ଉପଯୋଗ କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking