21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଅସହ୍ୟ ହେଉଛି ଫସଲ କ୍ଷତି, ଭାଙ୍ଗିପଡୁଛନ୍ତି କୃଷକ

ଅସହ୍ୟ ହେଉଛି ଫସଲ କ୍ଷତି, ଭାଙ୍ଗିପଡୁଛନ୍ତି କୃଷକ

ମୁମ୍ବାଇ: ମହାରାଷ୍ଟ୍ର ଭଳି ରାଜ୍ୟରୁ ଏକ ଅତ୍ୟନ୍ତ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଗତ ୧୦ ମାସ ମଧ୍ୟରେ ଅର୍ଥାତ୍ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ମହାରାଷ୍ଟ୍ରର ମରାଠାୱାଡା ପ୍ରାନ୍ତରୁ ପ୍ରାୟ ୯୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏଥିମଧ୍ୟରୁ କେବଳ ୫୩୭ ଚାଷୀ ଚଳିତ ବର୍ଷ ମେ’ ମାସରୁ ଅକ୍ଟୋବର ମଧ୍ୟରେ ଆତ୍ମହତ୍ୟା କରିଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁ ହୋଇଥିବା ବ୍ୟାପକ ଫସଲ କ୍ଷତିରେ ଏମାନେ ଭାଙ୍ଗିପଡ଼ି ଏପ୍ରକାର ଚରମ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କୃଷିମନ୍ତ୍ରୀ ଆଶିଷ ଜୟସୱାଲ କହିଛନ୍ତି ଯେ ସରକାର ଏହି ଗମ୍ଭୀର ପ୍ରସଙ୍ଗ ପ୍ରତି ଧ୍ୟାନ ଦେଉଛନ୍ତି। ଚାଷୀଙ୍କ ପାଇଁ ଯୋଜନା ଏବଂ ପ୍ରୋତ୍ସାହନ ଉପରେ ଖର୍ଚ୍ଚ ୧ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷେ କୃଷକ ନେତା ରାଜୁ ଶେଟ୍ଟୀ କହିଛନ୍ତି ଯେ ଅସ୍ୱାଭାବିକ ବର୍ଷା ଏବଂ ବନ୍ୟା ପରିସ୍ଥିତି ଯୋଗୁ ମୌସୁମୀ ଫସଲକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଫସଲ କ୍ଷତି ପାଇଁ ବହୁତ କମ୍ କ୍ଷତିପୂରଣ ମିଳିଛି। ଉଦାହରଣ ସ୍ୱରୂପ, ପ୍ରତି ଟନ୍ ୨୫,୦୦୦ ହାରରେ ୧୦୦ ଟନ୍ କଦଳୀ ଫସଲ ହରାଇଥିବା ଜଣେ ଚାଷୀଙ୍କୁ କେବଳ ୨୫,୦୦୦ କ୍ଷତିପୂରଣ ମିଳିଛି।

ଛତ୍ରପତି ସମ୍ଭାଜୀନଗର ଡିଭିଜନାଲ କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ବିଡ୍ ଏବଂ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ସର୍ବାଧିକ ଚାଷୀ ଆତ୍ମହତ୍ୟା ରେକର୍ଡ କରାଯାଇଛି। ଜିଲ୍ଲାୱାରୀ, ଏହି ୬ ମାସ ମଧ୍ୟରେ ଛତ୍ରପତି ସମ୍ଭାଜୀନଗରରେ ୧୧୨ ଜଣ, ଜଳନାରେ ୩୨ଜଣ, ପରଭାନୀରେ ୪୫ଜଣ, ହିଙ୍ଗୋଲିରେ ୩୩ଜଣ, ନାନ୍ଦେଦରେ ୯୦ଜଣ, ବିଡ୍‌ରେ ୧୦୮ଜଣ, ଲାତୁରରେ ୪୭ଜଣ ଏବଂ ଧାରାଶିବରେ ୭୦ ଜଣ ଆତ୍ମହତ୍ୟା କରିଛନ୍ତି। ଅବଶ୍ୟକ ରାଜ୍ୟ ସରକାର ମରାଠୱାଡାରେ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ରାୟ ୩୨,୦୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି, ଯେଉଁଥିରେ ଛତ୍ରପତି ସମ୍ଭାଜୀନଗର, ଜଳନା, ନାନ୍ଦେଦ, ପରଭାନୀ, ହିଙ୍ଗୋଲି, ଲାତୁର, ବୀଡ ଏବଂ ଧାରାଶିବ ଜିଲ୍ଲା ଅନ୍ତର୍ଭୁକ୍ତ। ପ୍ରକାଶ, ଅତ୍ୟଧିକ ବର୍ଷା ଏବଂ ବନ୍ୟା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ କ୍ଷତି (ସେପ୍େଟମ୍ବର ୨୦ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା) ହୋଇଥିଲା ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା, ପ୍ରାୟ ୧,୩୦୦ ଘର କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୩୫୭ ପଶୁ ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking