ଥିରୁଅନନ୍ତପୁରମ: (୧) ଆଇନଗତ ପ୍ରତିକାର, (୨) ମୂଲ୍ୟବୋଧଭିତ୍ତିକ ସଂସ୍କାର, (୩) ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ସଚେତନତା (୪) ଆତ୍ମରକ୍ଷା ତାଲିମ୍ ଏବଂ (୫) ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟ (ବିଷୟବସ୍ତୁ) ଉପରେ ନିୟନ୍ତ୍ରଣ । ଏହି ୫ ବିଶେଷ ଦିଗ ଉପରେ ଗୁରୁତ୍ୱାରୋପ କରାଗଲେ ଦେଶରେ କୋଲକାତା ଭଳି ଘଟଣା କଦାପି ଘଟିବ ନାହିଁ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) କହିଛି । କେରଳର ପାଲକ୍କଡ ଠାରେ ଆୟୋଜିତ ହୋଇଯାଇଥିବା ଆରଏସ୍ଏସ୍ର ୩ ଦିନିଆ ସମନ୍ୱୟ ବୈଠକରେ କୋଲକାତା ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ସଂଗଠନ ସହ ଅନୁବନ୍ଧିତ ସଂଗଠନମାନେ ଏଥିରେ ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଥିଲେ । ସେହିପରି ଏହି ଘଟଣାଗୁଡ଼ିକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆରଏସ୍ଏସ୍ ପକ୍ଷରୁ ଉପରୋକ୍ତ ୫ ଗୁରୁତ୍ୱପୂର୍ଣ୍ଣ ତଥା ଉପାଦେୟପୂର୍ଣ୍ଣ ପ୍ରସ୍ତାବ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ସମନ୍ୱୟ ବୈଠକରେ ଆଇନ୍ଗତ ପ୍ରତିକାର ରୂପେ ଏସବୁ ପ୍ରତିରୋଧ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଆଇନଗତ ଢାଞ୍ଚା ମଧ୍ୟରେ ଚାର୍ଜଗୁଡିକ ଫ୍ରେମ୍ କରାଯିବା, ଦଣ୍ଡାଦେଶ ବ୍ୟବସ୍ଥା ଶୀଘ୍ର ଏବଂ ସ୍ପଷ୍ଟ ହେବା, ପିଲାମାନଙ୍କୁ ଅଭିଭାବକମାନେ ପିଲାଦିନରୁ ମୂଲ୍ୟବୋଧଭିତ୍ତିକ ସଂସ୍କାର ଦେବା ସହ ପରିବାର ପ୍ରତି ସେମାନଙ୍କ ଭାବନାକୁ କିପରି ଦୃଢ଼ତାର ସହ ଯୋଡାଯାଇପାରିବ ସେଦିଗରେ ପ୍ରୟାସ କରିବା, ପିଲାମାନଙ୍କୁ ଉତ୍ତମ ଶିକ୍ଷା (ଭଲ-ମନ୍ଦ କାର୍ଯ୍ୟ ସମ୍ପର୍କରେ ପାର୍ଥକ୍ୟ ଓ ପରିଣାମ) ସହ ଜୀବନରେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ତାକୁ ପୂରଣ କରିବା ଦିଗରେ ଅନୁବ୍ରତୀ ହେବା ନେଇ ନୈତିକତାପୂର୍ଣ୍ଣ ଶିକ୍ଷା ଦିଆଯିବାର ଆବଶ୍ୟକତା ଥିବା ସମ୍ପର୍କରେ ବୈଠକରେ ମତପ୍ରକାଶ ପାଇଛି ।
ସେହିପରି ବ୍ୟାପକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ସମାଜରେ ଏପ୍ରକାର ଅପରାଧିକ ଘଟଣାକୁ ଏଡାଯାଇପାରିବ ବୋଲି କୁହାଯାଇଛି । ଏସବୁ ବ୍ୟତୀତ ମହିଳାଙ୍କ ପାଇଁ ଆତ୍ମରକ୍ଷା ତାଲିମ୍ର ଉପାଦେୟତା ତଥା ଆବଶ୍ୟକତା ଉପରେ ମଧ୍ୟ ଆରଏସ୍ଏସ୍ର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମତପୋଷଣ କରିଛନ୍ତି । ଆତ୍ମରକ୍ଷା କୌଶଳ ଶିକ୍ଷାକୁ ଅନିବାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ଏସବୁ ଉପରାନ୍ତେ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ଅଶ୍ଳୀଳ କଣ୍ଟେଣ୍ଟ (ବିଷୟବସ୍ତୁ), ଭିଡିଓ ତଥା ଅଡିଓ ଆଦିସବୁ ଉପରେ ନିୟନ୍ତ୍ରଣ ଅଣାଯିବା ଜରୁରି ହୋଇପଡ଼ିଛି ବୋଲି ବୈଠକରେ କୁହାଯାଇଛି । କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ପରେ ନିର୍ମର୍ମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳିଥିବା ବେଳେ ସବୁ ମହଲରୁ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ଦାବି ଜୋର ଧରିଛି ।