ଭୁବନେଶ୍ବର : ଭରତପୁରରେ କ୍ରାଇମବ୍ରାଞ୍ଚ ଟିମ୍। ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ପହଞ୍ଚିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସୂଚନାଯୋଗ୍ୟ, ଗତକାଲି ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରପଡ଼ା ଜେଲ୍ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଥିଲା। ଆହତ ଅବସ୍ଥାରେ ଜେଲ୍କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ପଠାଗଲା। ଅଥଚ ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍ରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଖୋଳତାଡ଼ କରିଛି। ଅନ୍ୟପଟେ ମିଛଧରା ପରୀକ୍ଷା ପାଇଁ କ୍ରାଇମ୍ବ୍ରାଞ୍ଚ୍ ଆଜି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର କ୍ରାଇମବ୍ରାଞ୍ଚ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।










