21.1 C
Bhubaneswar
Sunday, January 18, 2026
Homeଅପରାଧଠକିଥିଲା କୋଟିଏ, ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଠକିଥିଲା କୋଟିଏ, ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

କଟକ: ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୁଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାକୁ ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ (୩୩)କୁ ଗିରଫ କରିଛି। ପୁଲିସ ଅଭିଯୁକ୍ତ ଠାରୁ ମୋବାଇଲ, ୩ଟି ସିମ୍‌କାର୍ଡ, ସାଉଦି ଆରବର ସିମ୍‌କାର୍ଡ, ପାସ୍‌ବୁକ, ପାସ୍‌ପୋର୍ଟ, ଆଧାର କାର୍ଡ, ପ୍ୟାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ। ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମିର ଶିକାର ହୋଇଥିଲେ।

ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୁଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାର କାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ। ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି କହି ପ୍ରଥମେ ଭୟଭୀତ କରିଥିଲେ। ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ। ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକମାନେ ତାଙ୍କୁ ହ୍ୱାଟ୍ସଆପରି ଜରିଆରେ ଭିଡିଓ କଲ କରିଥିଲେ ।

ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ। ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ। ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ। ସେହି ଅନୁଯାୟୀ ଅଭିଯୋଗକାରୀ ବରିଷ୍ଠ ନାଗରିକ ଜଣକ ଠକର ଆକାଉଣ୍ଟକୁ ଦୁଇଥରରେ ୧ କୋଟି ଟଙ୍କା ଜମା କରିଥିଲେ । ତେବେ ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking