33.1 C
Bhubaneswar
Saturday, March 28, 2026
Homeଓଡିଶାନୂଆପଡ଼ା ଉପ ନିର୍ବାଚନରେ ଜନବିରୋଧୀ ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ସପକ୍ଷରେ ସି.ପି.ଆଇ.(ଏମ୍‌)ର ସମର୍ଥନ...

ନୂଆପଡ଼ା ଉପ ନିର୍ବାଚନରେ ଜନବିରୋଧୀ ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ସପକ୍ଷରେ ସି.ପି.ଆଇ.(ଏମ୍‌)ର ସମର୍ଥନ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ଏକ ବିଶେଷ ରାଜନୈତିକ ପରିସ୍ଥିତିରେ ନୂଆପଡ଼ା ଉପ ନିର୍ବାଚନ ହେଉଛି । ଆଗାମୀ ନୂଆପଡ଼ା ଉପନିର୍ବାଚନ କେବଳ ପ୍ରାର୍ଥୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ – ଏହା ଆମ ସମ୍ବିଧାନ, ଧର୍ମନିରପେକ୍ଷତା ଓ ଓଡ଼ିଶାର ସମସ୍ତ ସଂପ୍ରଦାୟର ଗଣତାନ୍ତ୍ରିକ ଅଧିକାରର ଭବିଷ୍ୟତ ଉପରେ ଏକ ଜନମତ ସଂଗ୍ରହ । ତେଣୁ ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ଜନତା, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି, ଶ୍ରମିକ, କୃଷକ, ଯୁବକ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ସମସ୍ତ ସଚେତନ ନାଗରିକଙ୍କୁ ଏକଜୁଟ ହୋଇ ବିଜେପିର ସାମ୍ପ୍ରଦାୟିକ-ହିନ୍ଦୁତ୍ୱବାଦୀ ରାଜନୀତିକୁ ବିଛିନ୍ନ ଏବଂ ପରାସ୍ତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଆହ୍ୱାନ ଜଣାଉଛି । ରାଜନୈତିକ ଦୃଷ୍ଟିରୁ ଏହି ଉପନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଡ଼ବଲ ଇଞ୍ଜିନ ବିଜେପି ସରକାର ସମୟରେ ସାଂପ୍ରଦାୟିକ ହିଂସା, ସାମାଜିକ ବିଦ୍ୱେଷ, ଦଳିତ ଉତ୍ପୀଡ଼ନ, ଆଦିବାସୀ ବିସ୍ଥାପନ ଏବଂ ମହିଳା ନିର୍ଯ୍ୟାତନା ଅତ୍ୟନ୍ତ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି । ବିଜେପି ଏବଂ ଏହାର ସହଯୋଗୀ ସଂଗଠନମାନେ ହିନ୍ଦୁତ୍ୱବାଦୀ ରାଜନୀତି ପାଇଁ ସାମାଜିକ ସଦ୍‌ଭାବ ଏବଂ ସଂପ୍ରୀତିକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ପରାସ୍ତ କରି ସାଂପ୍ରଦାୟିକ ସଦ୍‌ଭାବ ଓ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ଜରୁରୀ ବୋଲି ସି.ପି.ଆଇ.(ଏମ୍‌) ବିଚାର କରୁଛି । ୧୬ ମାସର ଶାସନରେ ବିଜେପି ନିର୍ବାଚନ ପ୍ରତିଶୃତିକୁ ଭୁଲି ଯାଇଛି । ରାଜ୍ୟରେ ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧିକରଣ ରାଜନୀତି ଯୋଗୁଁ ଜନ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ବିରୋଧୀ ମତକୁ ଦମନ ଏବଂ ନାଗରିକ ସ୍ୱାଧୀନତା ଉପରେ କଟକଣା ଗଣତନ୍ତ୍ରକୁ ଦୁର୍ବଳ କରୁଛି ।

କୃଷି ସଙ୍କଟ, ମଜୁରୀରେ ଶୋଷଣ, ପ୍ରବାସ ଓ ଲଗାମହୀନ ମୂଲ୍ୟବୃଦ୍ଧିରେ ନୂଆପଡ଼ାର ସାଧାରଣ ଜନତା, କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀ ଏବଂ ଯୁବକ ଜର୍ଜରିତ । ବିଜେପିର ନୀତି କର୍ପୋରେଟ ଲୁଣ୍ଠନ ଏବଂ ସାଂପ୍ରଦାୟିକମେଣ୍ଟର ମଧୁଚନ୍ଦ୍ରିକାକୁ ସୁଦୃଢ କରୁଛି । ନୂଆପଡ଼ା ଉପ ନିର୍ବାଚନରେ ସମସ୍ତଙ୍କୁ କାମ, ରୋଜଗାର, ସ୍ୱାସ୍ଥ୍ୟ, ଶିକ୍ଷା, ମୂଲ୍ୟବୃଦ୍ଧି ରୋକିବା ଓ ସାମାଜିକ ନ୍ୟାୟ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏହି ପୃଷ୍ଠଭୂମିରେ ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ନୂଆପଡ଼ାର ସମସ୍ତ ଗଣତାନ୍ତ୍ରିକ ଭୋଟରଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜେପିର ସାଂପ୍ରଦାୟିକ ଯୋଜନାକୁ ପରାସ୍ତ କରିବାକୁ ଅନୁରୋଧ କରୁଛି । ଆଜିର ପରିସ୍ଥିତିରେ ଜନତାଙ୍କ ଅଧିକାର, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରର ବିଜୟ ହେବା ଜରୁରୀ । ଏହି ଉପ ନିର୍ବାଚନରେ ଓଡ଼ିଶାର ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ରାଜନୀତି ପାଇଁ ନୂଆପଡ଼ା ଏକ ସ୍ପଷ୍ଟ ବାର୍ତ୍ତା ଦେଉ ବୋଲି ନୂଆପଡ଼ାର ଭୋଟରମାନଙ୍କୁ ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking