ଜଗତ୍ସିଂହପୁର: ବୁଧବାର ଜଗତସିଂହପୁର ଜିଲ୍ଲା ଆଇନ୍ସେବା ପ୍ରାଧିକରଣ କାର୍ଯ୍ୟାଳୟର କାର୍ଯ୍ୟରତ ନିହାର ରଞ୍ଜନ ମହାନ୍ତି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ନିହାର ସଦର ଥାନା ଅନ୍ତର୍ଗତ ନୁଆପୋଲ ଠାରେ ପରିବାର ସହ ରହୁଥିବା ଭଡ଼ାଘରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଅପରପକ୍ଷରେ ନିହାର ଜୀବତ ଥିବା ସନ୍ଦେହରେ ପରିବାର ଲୋକେ ନିହାରଙ୍କ ବେକରୁ ରସି କାଟି ସଙ୍ଗେ ସଙ୍ଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜାହାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇ ଥିଲା। ତେବେ ନିହାର ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବା ଜଣାଯାଇଛି।
କିନ୍ତୁ ନିହାର ଦୀର୍ଘ ଦିନ ହେଲା ମାନସିକ ଚାପରେ ଥିବା ପରିବାର ପକ୍ଷରୁ ଅର୍ଥାତ୍ ନିହାରଙ୍କ ପତ୍ନୀ ସୁମିତ୍ରା ମହାନ୍ତି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସଦର ଥାନାରେ ପତ୍ନୀ ସୁମିତ୍ରାଙ୍କ ଅଭିଯୋଗ କ୍ରମେ ଶବକୁ ଜବତ କରା ଯାଇ ପୋଷ୍ଟ ମଟମ ନିମନ୍ତେ ପଠାଯାଇଛି। ପୋଷ୍ଟ ମଟମ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ନିହାରଙ୍କ ମୃତ୍ୟୁର କରାଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରାପଡା ଜିଲ୍ଲା ସନରପୁର ଗ୍ରାମର କିଶୋର ଚନ୍ଦ୍ର ମହାନ୍ତିଙ୍କ ପୁଅ ନିହାର ରଞ୍ଜନ ମହାନ୍ତି(୩୮) ଗତ ଆଠ ବର୍ଷ ହେଲା ଜଗତସିଂହପୁର ଜିଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରତ ସମୟରେ ନିହାର କୋର୍ଟର କୌଣସି କର୍ମଚାରୀଙ୍କ ବାରମ୍ବାର ମାନସିକ ନିର୍ଯାତନା ଶିକାର ହୋଇ ଆସୁଥିଲେ। ଏ ସମ୍ପର୍କରେ ପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଜଣାଇଥିବା ମୃତକଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି। ଆଜି ସକାଳୁ ନିହାର ଉଠି ତାଙ୍କ ନିତ୍ୟକର୍ମ ସାରି, ପତ୍ନୀ ସୁମିତ୍ରାଙ୍କୁ ଗାଧୋଇ ଯିବାକୁ କହିଥିଲେ। ସୁମିତ୍ରା ଗାଧୋଇ ସାରି ସ୍ୱାମୀ ନିହାରଙ୍କୁ ଖୋଜିବାରୁ ଏହି ଅଘଟଣ ଘଟିଥିବା ସୁମିତ୍ରା କହିଛନ୍ତି। ମୃତକ ନିହାରଙ୍କର ଏକ ୮ ବର୍ଷର ଓ ଏକ ୧ ବର୍ଷର ଦୁଇଟି ଝିଅ ଅଛନ୍ତି ।










