ନୂଆଦିଲ୍ଲୀ: ମାତିଲେ ସାଇବର ଠକ । ବରିଷ୍ଠ ନାଗରିକଙ୍କୁ କଲେ ଡିଜିଟାଲ ଆରେଷ୍ଟ । ଦେଢ଼ ଦିନ ଧରି ନଜରବନ୍ଦୀ ହୋଇ ରହିଲେ ଦମ୍ପତି । ଘଟଣା ଘଟିଛି ଭୁବନେଶ୍ବରରେ ।ମିଳିଥିବା ସୂଚନା ଅନୁସାରେ, ପୋଲିସ ପରିଚୟ ଦେଇ ସାଇବର ଠକ ଦମ୍ପତିଙ୍କ ସହ କଥା ହୋଇଥିଲେ । ସେମାନଙ୍କର ଆତଙ୍କି ଲିଙ୍କ ଥିବା କହି ଧମକାଇଥିଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ସେମାନଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କର ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସରୁ ମୁକ୍ତି ମିଳିବ ବୋଲି କହି ଦମ୍ପତିଙ୍କୁ ଠକ ଧମକାଇଥିଲେ ।ଠକେଇର ଶିକାର ପୁରୁଷ ଜଣଙ୍କ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ମହିଳା ଜଣଙ୍କ ଅବସରପ୍ରାପ୍ତ ଅଧ୍ୟାପିକା । ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ । ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଫଳରେ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତି ।










