19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବାବ୍ରୀ ମସଜିଦ୍ ଭଙ୍ଗା ସମ୍ପର୍କରେ ୟୁବିଟି ନେତାଙ୍କ ପୋଷ୍ଟକୁ ନେଇ ବିବାଦ

ବାବ୍ରୀ ମସଜିଦ୍ ଭଙ୍ଗା ସମ୍ପର୍କରେ ୟୁବିଟି ନେତାଙ୍କ ପୋଷ୍ଟକୁ ନେଇ ବିବାଦ

ମୁମ୍ବାଇ: ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍‌ଭିଏ)କୁ ଆଜି ଏକ ବଡ଼ ଧରଣର ଶକ୍ତ ଝଟ୍‌କା ଲାଗିଛି। ଏମ୍‌ଭିଏରେ ଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ଆଜି ଆକସ୍ମିକ ଭାବେ ମେଣ୍ଟରୁ ଓହରିଯାଇଛି। ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବାବ୍ରୀ ମସଜିଦ୍ ଭଙ୍ଗାଯିବା ଘଟଣାରେ ବିବାଦୀୟ ବୟାନ ଦେବା କାରଣରୁ ଅଖିଳେଶ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। ପରେ ତାଙ୍କ ଦଳ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁସାରେ ବାବ୍ରୀ ମସଜିଦ୍ ଭଙ୍ଗାଯିବା ଘଟଣାର ୩୨ବର୍ଷ ପୂର୍ତ୍ତି ଅବସରରେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନାର ବରିଷ୍ଠ ନେତା ମିଲିନ୍ଦ ନରଭେକର ସୋଶାଲ ମିଡିଆରେ ଫଟୋ ସହ ଏକ ପୋଷ୍ଟ କରିଥିଲେ।ଫଟୋରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଉଥିବା ବେଳେ ଏଥିରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏକ ଆଲେଖ୍ୟକୁ ଉଲ୍ଲେଖ କରାଯାଇଛି। ବାଲା ସାହେବ ଏଥିରେ କହିଛନ୍ତି, “ଏହାକୁ ଯେଉଁମାନେ କରିଛନ୍ତି (ଭାଙ୍ଗିଛନ୍ତି) ସେମାନଙ୍କ ପାଇଁ ମୁଁ ଗର୍ବିତ।” ଏହି ଫଟୋରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ନରଭେକରଙ୍କ ଫଟୋ ମଧ୍ୟ ରହିଛି। ତେବେ ଶିବସେନାର ଜଣେ ନେତାଙ୍କ ଏପରି ପୋଷ୍ଟକୁ ବିରୋଧ କରି ଏସ୍‌ପି ଏମଭିଏରୁ ଓହରି ଯାଇଛି। ପ୍ରକାଶ, ମହାରାଷ୍ଟ୍ରରେ ବିରୋଧୀ ଏକତା ମଞ୍ଚ ରୂପେ (ଏନ୍‌ସିପି-କଂଗ୍ରେସ-ଶିବସେନା-ସମାଜବାଦୀ ପାର୍ଟି) ବା ଏମ୍‌ଭିଏ ମେଣ୍ଟ ରହିଛି। ସେହିପରି ବିରୋଧୀ ବିଧାୟକଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ୨ ବିଧାୟକ ରହିଛନ୍ତି। ଆଜି ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଏମ୍‌ଭିଏ ଦଳଗୁଡ଼ିକ ଇଭିଏମ୍‌କୁ ଦୋଷ ଦେଇ ବୟକଟ୍ କରିଥିଲେ। କିନ୍ତୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ବିଧାୟକ ଅବୁ ଅସିମ ଆଜମି ଓ ବିଧାୟକ ରୈସ ଶେଖ୍ ଏମ୍‌ଭିଏ ନିଷ୍ପତ୍ତିକୁ ଖାତିର ନ କରି ବିଧାୟକ ଭାବେ ଶପଥ ନେଇଛନ୍ତି। ପ୍ରକାଶ, ମହାରାଷ୍ଟ୍ରରେ ଅନୁଷ୍ଠିତ ଲୋକସଭା ଓ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ବିରୋଧୀ ମେଣ୍ଟ ଏମଭିଏ ସହ ହାତ ମିଳାଇ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଏବେ ମେଣ୍ଟରୁ ଦଳ ଓହରିଯାଇଛି।ସମାଜବାଦୀ ପାର୍ଟି ଏମ୍‌ଭିଏମ୍ ମେଣ୍ଟରୁ ଓହରିବା ସମ୍ପର୍କରେ ଆଜମି ଗୋଟିଏ ବିବୃତିରେ କହିଛନ୍ତି, “ସାଂପ୍ରଦାୟିକ ବିଚାରଧାରା ସହ ସମାଜବାଦୀ ପାର୍ଟି କେବେ ହେଲେ ରହିପାରିବ ନାହିଁ। ତେଣୁ ଆମେ ମହା ବିକାଶ ଅଘାଡ଼ିରୁ ନିଜକୁ ପୃଥକ୍ କରୁଛୁ। ଶିବସେନା (ୟୁବିଟି) ପକ୍ଷରୁ ଖବରକାଗଜରେ ବିଜ୍ଞାପନ ଦିଆଯାଇ ବାବ୍ରୀ ମସଜିଦକୁ ଧ୍ୱଂସ କରିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଯାଉଛି। ତାଙ୍କ (ଉଦ୍ଧବ ଠାକରେ) ସହଯୋଗୀ ମଧ୍ୟ ଏକ୍ସରେ ପୋଷ୍ଟ କରି ମସଜିଦ ଭଙ୍ଗା ଘଟଣାକୁ ପ୍ରଶଂସା କରୁଛନ୍ତି। ଏମ୍‌ଭିଏରେ ଥିବା କେହି ଯଦି ଏମିତି ଭାଷା କହିବେ, ତା’ହେଲେ ବିଜେପି ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଆମେ ସେମାନଙ୍କ ସହ ରହିବୁ।” ଦଳୀୟ ସଭାପତି ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିରୋଧୀ ଏକତା ମଞ୍ଚ ଏମଭିଏରୁ ଦଳ ନିଜ ସମର୍ଥନ ପ୍ରତ୍ୟାହୃତ କରୁଥିବା ଆଜମି ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking