28.1 C
Bhubaneswar
Friday, October 18, 2024
Homeଓଡିଶା୩ଟି ନୂଆ ବାଟାଲିୟନ ଗଠନକୁ ମଞ୍ଜୁରୀ

୩ଟି ନୂଆ ବାଟାଲିୟନ ଗଠନକୁ ମଞ୍ଜୁରୀ

ଭୁବନେଶ୍ୱର:  ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦୦୯ଜଣ ସେନା ଯବାନ ଓ ଅଫିସରଙ୍କୁ ନେଇ ୩ଟି ସ୍ୱତନ୍ତ୍ର ବାଟାଲିୟନ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବାଟାଲିୟନର ନାଁ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ(ଓଏସଏସଏଫ) ରଖାଯାଇଛି । ପ୍ରତ୍ୟେକ ବାଟାଲିୟନରେ ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ୧୦୦୩ଜଣ ଯବାନ ଓ ଅଫିସର ରହିବେ । ଏହି ବାଟାଲିୟନ ସମ୍ପୂର୍ଣ୍ଣ ଭାବେ ଅବସରପ୍ରାପ୍ତ ସେନା ଓ କେନ୍ଦ୍ରୀୟ ପୁଲିସ କର୍ମୀଙ୍କ ଦ୍ୱାରା ପରିଚାଳିତ ହେବ । ପ୍ରତ୍ୟେକ ବାଟାଲିୟନରେ ୧୦୦୩ଜଣ ଅବସରପ୍ରାପ୍ତ ଯବାନ ଓ ଅଫିସର ରହିବେ ।

ପ୍ରତ୍ୟେକ ବାଟାଲିୟନରେ ୬ଟି କମ୍ପାନୀ ଓ ଗୋଟିଏ ହେଡକ୍ୱାର୍ଟର କମ୍ପାନୀ ରହିବେ । ପ୍ରତ୍ୟେକ ବାଟାଲିୟନରେ ଜଣେ କମାଣ୍ଡାଣ୍ଟ, ୩ଜଣ ଡେପୁଟି କମାଣ୍ଡାଣ୍ଟ, ୭ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫୧ଜଣ ଜୁନିୟର କମିଶନଡ ଅଫିସର(ଜେସିଓ) ଓ ୬୭୫ଜଣ ସିପାହୀ ରହିବେ । ଏମାନଙ୍କ ବ୍ୟତୀତ ୨୫୯ଜଣ ଡ୍ରାଇଭର ଓ ଟ୍ରେଡସମ୍ୟାନ୍ ଏବଂ ୭ଜଣ ମିନିଷ୍ଟ୍ରିଆଲ ପଦବୀରେ ରହିବେ । ସେନା ଓ କେନ୍ଦ୍ରୀୟ ପୁଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କୁ ଏହିସବୁ ପଦବୀରେ ନିଯୁକ୍ତି ମିଳିବ । ଚାକିରିରେ ଯୋଗଦେବାବେଳେ ଅଫିସରଙ୍କ ବୟସସୀମା ୫୫ବର୍ଷ, ହାବିଲଦାରଙ୍କ ବୟସ ୫୦ବର୍ଷ ଓ ସିପାହୀଙ୍କ ବୟସ ୪୫ବର୍ଷରୁ ଅଧିକ ହୋଇନଥିବା ଜରୁରୀ ।

୬୦ବର୍ଷ ବୟସ ହେଲାପରେ ସେମାନଙ୍କର ଚୁକ୍ତି ଆଉ ନବୀକରଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ସମସ୍ତ ଯବାନ ଓ ଅଫିସରଙ୍କୁ ୟୁନିଫର୍ମ ଭତ୍ତା ସହ ମୃତ୍ୟୁ ଅବା ଶାରୀରିକ ଅକ୍ଷମ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ମିଳିବ । ଏହି ଚାକିରି ପାଇଁ ଅବସରପ୍ରାପ୍ତ ଯବାନ ଓ ଅଫିସରଙ୍କର ସ୍ୱାସ୍ଥ୍ୟ ଫିଟ୍ ଥିବା ସହ ସେମାନଙ୍କର ବୟସ ଓ ଅନ୍ୟାନ୍ୟ ଦସ୍ତାବିଜ ଠିକ୍ ରହିଥିବା ଜରୁରୀ । କେବଳ ଜେସିଓ, ସିପାହୀ ଓ ଟ୍ରେଡସମ୍ୟାନମାନଙ୍କୁ ଶାରୀରିକ ପରୀକ୍ଷା କରାଯିବ । ସେମାନେ ୪୫ମିନିଟ୍ ଭିତରେ ୪କିମି ଦୌଡ଼ି ପାରୁଥିବା ଜରୁରୀ ।ଏହି ବାଟାଲିୟନକୁ ୨୦୨୬ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଏବେ ଅନୁମତି ମିଳିଛି । ଯଦି ଉକ୍ତ ବାଟାଲିୟନକୁ ଜାରି ରଖିବାକୁ ପଡ଼ିବ ତା’ହେଲେ ପୁଲିସ ମୁଖ୍ୟାଳୟକୁ ସାନି ପ୍ରସ୍ତାବ ଗୃହ ବିଭାଗକୁ ପଠାଇବାକୁ ପଡ଼ିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking