ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ରଖିବାକୁ ସହମତିର ଅର୍ଥ ନୁହେଁ ପ୍ରାଇଭେଟ୍ ଫଟୋ କିମ୍ୱା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା । ବ୍ୟକ୍ତିଗତ ଫଟୋଗ୍ରାଫ୍ର ଅପବ୍ୟବହାର ପାଇଁ ସମ୍ମତି ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶାରୀରିକ ସମ୍ପର୍କ ରଖିବାରେ ମହିଳାଙ୍କ ସହମତି ଥିଲେ ବି ପୁରୁଷଙ୍କୁ ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଗଣମାଧ୍ୟମରେ ସେୟାର କରିବାର ଅଧିକାର ନାହିଁ । ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କ ସ୍ଥାପନ ପାଇଁ ଅନୁମତି ଦେବାର ଅର୍ଥ ଏହା ନୁହେଁ ଯେ ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଅନୁମତି ମିଳିଯିବା ।
ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ଯେ, ବ୍ୟକ୍ତିଗତ ଫଟୋଗ୍ରାଫର ଅପବ୍ୟବହାର ପାଇଁ ସମ୍ମତି ନାହିଁ । ଅଦାଲତର ଶୁଣାଣିରେ କୁହାଯାଇଛି ଯେ, ଶାରୀରିକ ସମ୍ପର୍କରେ ରହିବା ପାଇଁ ସମ୍ମତି ଦେବାର ଅର୍ଥ କୌଣସି ବ୍ୟକ୍ତିଗତ ମୁହୂର୍ତ୍ତର ଅପବ୍ୟବହାର, ଶୋଷଣ କିମ୍ବା ଅପମାନଜନକ ଭାବରେ ସୋସିଆଲ ମିଡିଆରେ ଦର୍ଶାଇବା ନୁହେଁ । କୋର୍ଟ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇ କହିଛନ୍ତି ଯେ, ଶାରୀରିକ ସମ୍ପର୍କ ପାଇଁ ଉଭୟ ପୁରଷ ଓ ମହିଳାଙ୍କର ସମ୍ମତି ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଅର୍ଥ ବ୍ଲାକମେଲ୍ ଆଡ଼କୁ ଇଙ୍ଗିତ କରୁଛି ।
ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ଏକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଟଙ୍କା ଦେଇଥିଲେ, ଯାହାକୁ ସେ ଚାକିରି ପାଇବା ପରେ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଫଆଇଆର ଅନୁଯାୟୀ, ମହିଳା ଜଣକ ଟଙ୍କା ସୁଝି ନ ପାରିବାରୁ ଅଭିଯୁକ୍ତ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ । ଏଥିସହ ମହିଳା ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । କୌଣସି ଉପାୟ ନ ପାଇ ମହିଳା ଜଣକ ଅଭିଯୁକ୍ତଙ୍କ ସମସ୍ତ କଥା ମାନିଥିଲେ ବୋଲି କହିଛନ୍ତି । ଯାହାପରେ ଆରୋପୀ ଜଣକ ହ୍ୱାଟ୍ସଆପ୍ ଭିଡିଓ କଲ୍ କରି ଶାରୀରିକ ସମ୍ପର୍କର ଅଶ୍ଳୀଳ ଭିଡିଓ କରିଥିଲେ ଓ ଏହାପରେ ଏହି ଭିଡିଓକୁ ନେଇ ମହିଳାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତର ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।