ଭୁବନେଶ୍ୱର: ସମବାୟ କ୍ଷେତ୍ରକୁ ତୃଣମୂଳସ୍ତରରୁ ସଶକ୍ତ ଓ କ୍ରୀୟାଶୀଳ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସମବାୟ ସଂସ୍ଥତ୍କୁ ଅଣ ସମବାୟବିତ୍ମାନଙ୍କ ନିଷେଧ, ସମବାୟ ସଂସ୍ଥାଗୁଡ଼ିକର ସାମଗ୍ରୀକ ବିକାଶ, ସମବାୟ ସଂସ୍ଥାରେ ଆବଶ୍ୟକ କର୍ମଚାରୀ ଓ ସେମାନଙ୍କ ନ୍ୟାର୍ଯ୍ୟଦାବୀ ପୂରଣ ଏବଂ ଦୁର୍ନୀତି ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହିତ ସମବାୟ ସଂସ୍ଥାଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ, ମାନବ ସମ୍ବଳ ବୃଦ୍ଧିପାଇଁ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ ପକ୍ଷରୁ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେଲା ପ୍ରଦେଶ କଂଗ୍ରେସର ସମବାୟ ସୁରକ୍ଷା ଅଭିଯାନ । ବିଶେଷ କରି ଅତୀତରେ କଂଗ୍ରେସ ସରକାରଙ୍କ ସମୟରେ ସବୁବର୍ଗର ଲୋକଙ୍କ ପାଇଁ ସମବାୟ ମାଧ୍ୟମରେ ଗ୍ରହଣ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ବ୍ୟାପକ ସଚେତନତା କରିବା ଦିଗରେ କଂଗ୍ରେସ ପକ୍ଷରୁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ୧୭ ତାରିଖ ଦିନ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ ପକ୍ଷରୁ ବ୍ରହ୍ମପୁରସ୍ଥିତ ବାପୁଜୀ ଆଶ୍ରମ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଶ୍ମୀ ରଞ୍ଜନ ପଟାଟନାୟକଙ୍କ ନେତୃତ୍ୱରେ ଜିଲ୍ଲାର ବିଶିଷ୍ଟ ସମବାୟବିତ୍ ତଥା ପିସିସି ସମବାୟ ପ୍ରକୋଷ୍ଠର ଉପାଧ୍ୟକ୍ଷ ବୃନ୍ଦବନ ଖଟେଇଙ୍କ ସଭାପତିତ୍ୱରେ ସମବାୟବିତ୍ମାନଙ୍କୁ ନେଇ ସମବାୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳ ଲୋକମାନଙ୍କର ଅର୍ଥନୈତିକ ବିକାଶ ପାଇଁ ପ୍ରଥମେ ଦେଶର ପ୍ରତି ପଞ୍ଚାୟତସ୍ତରରେ ପ୍ରାଥମିକ କୃଷି ସେବା ସମବାୟ ସମିତି ପ୍ରତିଷ୍ଠା କରିବା ଦ୍ୱାରା ସମବାୟ ଏକ ସମୃଦ୍ଧିଶାଲୀ ହୋଇ ଗଢ଼ିଉଠିଥିଲା । ସାହୁକାର ଓ ଶୋଷଣରୁ ମୁକ୍ତି ପାଇ ଚାଷୀମାନେ ରାହା ପାଇଥିଲେ । ଓଡ଼ିଶାରେ ସମବାୟତ ପ୍ରାଣ ପ୍ରତିଷ୍ଠାତା କୁଳବୁଦ୍ଧ ମଧୁସୂଦନ ଦାସ ସମବାୟର ବିକାଶ ପାଇଁ ଯେଉଁ ଚିତ୍ର ଆଙ୍କି ଯାଇଛନ୍ତି କଂଗ୍ରେସ ସରକାର ସମୟରେ ବିଶ୍ୱାସର ସହିତ ଏହା କାର୍ଯ୍ୟକାରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଡ. ମନମୋହନ ସିଂହଙ୍କ ସମୟରେ ପ୍ୟାକ୍ସ ଠାରୁ ଆରମ୍ଭ କରି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ ରୁଗ୍ଣ ଅବସ୍ଥାରେ ଥିବା ସମବାୟ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ପାଇଁ ବୈଦ୍ୟନାଥନ କମିଟି ସୁପାରିଷରେ ମାନବ ସମ୍ବଳ ବୃଦ୍ଧି, ଭିତ୍ତିଭୂମି ପ୍ରତିଷ୍ଠା, କମ୍ପ୍ୟୁଟରୀକରଣକୁ ତ୍ୱରାନ୍ୱିତ କରାଗଲା । ଏଥି ସହିତ ଦେଶର ୫କୋଟିରୁ ଉର୍ଦ୍ଧ୍ୱ ଋଣଭାରରେ ଥିବା ଚାଷୀଙ୍କଠାରୁ ୭୨ ହଜାର ୬୮୦ କୋଟି ଟଙ୍କା ଋଣ ଛାଡ଼ କରାଯାଇ ସମବାୟକୁ ଏକ ଗତିଶୀଳ ପ୍ରଗତି ପଥରେ ଅଣାଗଲା । କିନ୍ତୁ ଦୁର୍ଭ୍ୟାଗ୍ୟର କଥା ବିଗତ ବିଜେଡ଼ି ସରକାରର ୨୫ ବର୍ଷ ଶାସନ ଓ ବର୍ତ୍ତମାନର ବିଜେପି ସରକାର ସମୟରେ ସମବାୟ ସଂସ୍ଥାଗୁଡ଼ିକ ବହୁ ଦେବାଳିଆ ସ୍ତରକୁ ଗତି କରୁଛି । ସମବାୟ ସଂସ୍ଥା କେତେକ ଅଣ ସମବାୟବିତ୍ମାନଙ୍କ ପରିଚାଳନା ଦ୍ୱାରା ଦୁର୍ନୀତିର ପାହାଡ଼ ହେଲାଣି । ସମବାୟ ସଂସ୍ଥାରେ ନିୟୋଜିତ ଥିବା କର୍ମଚାରୀମାନଙ୍କ ନ୍ୟାର୍ଯ୍ୟଦାବୀ ପୂରଣ କରାଯାଉନାହିଁ । ସମବାୟ ଭିତ୍ତିରେ ଗଢ଼ି ଉଠିଥିବା ତେଳକଳ, ସୂତାକଳ, ଚିନିକଳ ଅଚଳ ହୋଇ ପଡ଼ିରହିଛି । ଆର.ଏମସିିଗୁଡ଼ିକ ଚାଷୀଙ୍କ ପାଇଁ ଠିକଣା ଢ଼ଙ୍ଗରେ କାମ କରୁନି । ଧାନ ଓ ଅନ୍ୟାନ୍ୟ ଫସଲ ସଂରକ୍ଷଣ ପାଇଁ ଆବଶ୍ୟକ ସଂଖ୍ୟକ ଗୋଦାମ ଘର ନ ଥିବା ସହିତି ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାରଟିଏ ନାହିଁ । ଏପର୍ଯ୍ୟନ୍ତ ସରକାରଙ୍କ ଘୋଷଣା କେବଳ ପ୍ରଚାର ସର୍ବସ୍ୱ ଓ କାଗଜ କଲମରେ ସିମୀତ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏହାର ତୁରନ୍ତ ସମାଧାନ କରିବା ପାଇଁ ସରକାରଙ୍କୁ ସତର୍କ କରାଇଛନ୍ତି । ପୁନଶ୍ଚ ସମବାୟର ସାମଗ୍ରୀକ ବିକାଶ ଓ ପୁନରୁଦ୍ଧାର ପାଇଁ ବିଶିଷ୍ଟ ସମବାୟବିତ୍ମାନଙ୍କୁ ନେଇ ରାଜ୍ୟରେ ଏକ ଟାକ୍ସ ଫୋର୍ସ କମିଟି ଗଠନ, ସମବାୟ ଏକାଡେମୀ ପ୍ରତିଷ୍ଠା, ପ୍ରଚାର ଓ ପ୍ରସାରଣ ପାଇଁ ରାଜ୍ୟ ସମବାୟ ୟୁନିୟନ ଲିଃକୁ ସଶକ୍ତ କରିବା ସହିତ ଶିକ୍ଷା ପାଣ୍ଠିର ବୃଦ୍ଧି, ସମବାୟ ପାଇଁ ବାର୍ଷକ ବଜେଟରେ ଅଭିବୃଦ୍ଧି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼, ପ୍ରତି ସବ୍ଡିଭିଜନରେ ତୁରନ୍ତ ଶୀତଳ ଭଣ୍ଡାର ଓ ପ୍ରତି ଗ୍ରାମ ପଞ୍ଚ।।ୟତରେ ଗୋଦାମ ଗୃହ ନିର୍ମାଣ, ଶୀତଳଭଣ୍ଡାର ଉଦ୍ୟୋଗୀମାନଙ୍କୁ ପାଇଁ ସମ୍ପୂର୍ଣ୍ଣ ବିଦ୍ୟୁତ ଛାଡ଼ ପ୍ରଭୃତି ଉପରେ ଦାବୀ କରିଛନ୍ତି । ଏହି ଆଲୋଚନାଚକ୍ରରେ ବର୍ଷିୟାନ ଜନନେତା ପୂର୍ବତନ ମନ୍ତ୍ରୀ ରାଘବ ଚନ୍ଦ୍ର ପରିଡ଼ା, ପୂର୍ବତନ ବିଧାୟକ ଡଃ. ତ୍ରିନାଥ ସାହୁ ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ସମବାୟ ସଂଗଠନକୁ ସୁଦୃଢ଼ କରାଯାଇ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ ଅଂଶୀଦାରମାନଙ୍କର ନ୍ୟାର୍ଯ୍ୟଦାବୀ ପୂରଣ ପାଇଁ ଆନ୍ଦୋଳନ କରାଯିବ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ସାକା ସୁଜିତ୍, ଭୋକଲି ସେଠି, ଅଶୋକ ପଟ୍ଟନାୟକ, ଶ୍ୟାମ ସୁନ୍ଦର ସାହୁ, ଗଣପତି ବାରିକ, ସୁବାସ ରାଉତ, ପଦ୍ମ ଚରଣ ସାହୁ, ଶ୍ୟାମ ସୁନ୍ଦର ଦୋରା, ସୁରେନ୍ଦ୍ର ସାହୁ ପ୍ରମୁଖ ୨ଶହରୁ ଉର୍ଦ୍ଧ୍ୱ ସମବାୟବିତ୍ ଓ ସମବାୟପ୍ରେମୀ ଉପସ୍ଥିତ ଥିଲେ ।










