20.1 C
Bhubaneswar
Sunday, December 7, 2025
Homeଓଡିଶାଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଓଡ଼ିଆ ଅସ୍ମିତାର ଲଢ଼େଇ ଲଢ଼ିବ କଂଗ୍ରେସ : ଶରତ ପଟ୍ଟନାୟକ

ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଓଡ଼ିଆ ଅସ୍ମିତାର ଲଢ଼େଇ ଲଢ଼ିବ କଂଗ୍ରେସ : ଶରତ ପଟ୍ଟନାୟକ

ବୈଠକରେ ଯୋଗ ଦେଲେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି
– ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି
– ଗଠନମୂଳକ ବିରୋଧିଦଳ ଭାବେ ସଂସଦ, ବିଧାନସଭା ଓ ରାଜରାସ୍ତାରେ ଲଢ଼ିବ କଂଗ୍ରେସ
ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ଜିଲ୍ଲା ସଭାପତି, ଛାମୁଆ ସଂଗଠନର ମୁଖ୍ୟ ତଥା ସମସ୍ତ ବିଭାଗର ମୁଖ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଏହି ବୈଠକରେ ଦଳର ଆଗାମୀ ରଣନୀତି ସଂପର୍କରେ ଆଲୋଚନା ହୋଇଥିଲା । ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ସରକାରକୁ ଆସିବାର ମାତ୍ର ଏକ ମାସ ମଧ୍ୟରେ ଯେଭଳି ଭାବେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଏବଂ ବିଜେପି ଦ୍ୱାରା ହିଂସାର ବାତାବରଣ ସୃଷ୍ଟି କରାଯାଉଛି ଏହାକୁ ସଭାରେ ସମସ୍ତେ ଦୃଢ଼ ଭାବେ ନିନ୍ଦା କରିଥିଲେ । ଯେଭଳିଭାବେ ରାଜ୍ୟର ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ମାରି ଲହୁ ଲୁହାଣ କଲେ ହେଲେ ରାଜ୍ୟର ରାଜ୍ୟପାଳ ଓ ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ନୀରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଏ ସମ୍ପର୍କରେ ପୀଡ଼ିତ ଅଧିକାରୀ ଜଣଙ୍କ ଏତଲା ଦେଇଥିଲେ ମଧ୍ୟ ପୋଲିସ ହାତ ବାନ୍ଧି ବସିଛି । ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଏଏସଓ ଜଣଙ୍କୁ ବଦଳି କରି ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇ ନିରବଦ୍ରଷ୍ଟା ସାଜିଛନ୍ତି । ଘଟଣାଟିକୁ ଚାପି ଦେବାପାଇଁ ଉଦ୍ୟମ ଚାଲିଥିବା ବେଳେ ନିରପକ୍ଷେ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ଲାଗି କଂଗ୍ରେସ ଦାବି କରିଛି । ରାଜ୍ୟରେ ବିଜେପିି ଓ ବିଜେଡ଼ିର ଭିତିରି ବୁଝାମଣା ରାଜ୍ୟବାସୀଙ୍କୁ ଅବଗତ । ତେଣୁ ଗଠନ ମୂଳକ ବିରୋଧି ଦଳ ଭାବେ କଂଗ୍ରେସ ଦଳ ସଂସଦ ଓ ବିଧାନସଭା ଭିତରେ ଏବଂ ରାଜରାସ୍ତାରେ ବିଜେପି ସରକାର ବିରୁଦ୍ଧରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜୋରଦାର କରିବ ବୋଲି ଆଜିର ସଭାରେ ନିଷ୍ପତି ନିଆଯାଇଛି । କଂଗ୍ରେସ ଦଳ ହିଂସାରେ ବିଶ୍ୱାସ ରଖେ ନାହିଁ । କିନ୍ତୁ ବିଜେପି ଯେଭଳି ଭାବେ ଆକ୍ରୋଶ ରଖି କଂଗ୍ରେସ କାର୍ଯ୍ୟାଳୟ ଓ ନେତାଙ୍କ ବିରୁଦ୍ଧରେ ଆଚରଣ କରୁଛି ଏହାକୁ ମଧ୍ୟ ଆଗାମୀ ଦିନରେ ଦୃଢ଼ ଭାବେ ଜବାବ ଦିଆଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।
ଆଜିର ସଭାରେ ସମସ୍ତ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଦେବା ସହ ଚଳିତ ନିର୍ବାଚନରେ ଯେଉଁଭଳି ଭାବରେ ସମସ୍ତ ବିପରୀତ ପରିସ୍ଥିତି ସତ୍ୱେ ଦଳର ସମସ୍ତ କାର୍ଯ୍ୟକର୍ତା, ବ୍ଲକ ସଭାପତି, ଜିଲ୍ଲା ସଭାପତି, ଛାମୁଆ ସଂଗଠନ ସହ ସମସ୍ତ ବିଭାଗର କାର୍ଯ୍ୟକର୍ତା ନିର୍ବାଚନ ଲଢ଼ିଲେ ସେମାନଙ୍କୁ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହା ସହିତ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମାଲିକାର୍ଜୁନ ଖର୍ଗେ, ସର୍ବପରି ଶ୍ରୀମତୀ ସୋନିଆ ଗାନ୍ଧୀ, ବିରୋଧି ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କୁ ମଧ୍ୟ ନିର୍ବାଚନ ପରିଚାଳନାରେ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।
ଆଜିର ଏହି ସଭାରେ ସମସ୍ତ ଜିଲ୍ଲା ସଭାପତି, ବରିଷ୍ଠ ଉପସଭାପତି-ଶିବାନନ୍ଦ ରାୟ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଞ୍ଜନ ମହାନ୍ତି, ପିସିସି ଉପସଭାପତି- ସନତ ଦାସ, ମହିଳା କଂଗ୍ରେସର ସଭାନେତ୍ରୀ- ମୀନାକ୍ଷୀ ବାହିନପତି, ସେବାଦଳ ଅଧ୍ୟକ୍ଷ- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବାଙ୍କନିଧି ବେହେରା, ଜୟରାମ ପାଙ୍ଗି, ଜିଆ ଉଲ୍ଲହକ୍‌, ବିଜୟାନନ୍ଦ ଚାଉଳିଆ, ଅମୀୟ ପଟ୍ଟନାୟକ, ହଳଦର ସେଠୀ, ଜିତେନ୍ଦ୍ର ବିଶ୍ୱାଳ ଓ ସମସ୍ତ ଛାମୁଆ ସଂଗଠନ ଓ ସାମୁଖ୍ୟର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking