ଭୁବନେଶ୍ୱର: ସାରା ରାଜ୍ୟରେ ଧାନ କ୍ରୟ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ କ୍ରୋଧ ଓ ଅସନ୍ତୋସ ବଢ଼ିଚାଲିଛି । ସରକାର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଧାନ କିଣା ବିକାରେ ସରକାର, ପ୍ରଶାସନ, ମିଲରମାନଙ୍କ ସଲାସୁତୁରାରେ ବ୍ୟାପକ ହେରଫେର, ପ୍ରତି କ୍ୱିଣ୍ଟାଲରେ ୫କେଜିରୁ ୧୦ କେଜି ପର୍ଯ୍ୟନ୍ତ ବାଧ୍ୟତାମୂଳକ କଟନି ଛଟନି, ମିଲର ମନମାନିରେ ଧାନ ଉଠିବା, ଜାଣିଶୁଣି ଟୋକନ ଇସ୍ୟୁରେ ବିଳମ୍ବ, ନିର୍ଦ୍ଧାରିତ ସମୟରେ ଧାନ କ୍ରୟ କରା ନ ଯିବାରୁ ଟୋକନ ଲାପ୍ସ, ଗୋଦାମ ଘର ଅଭାବ ଯୋଗୁଁ ଧାନ କିଣାରେ ମନ୍ଥର ଲାଗି ରହିଥିବା ବେଳେ ସରକାର ଅଦ୍ୟାବଧି ଏହି ସମସ୍ୟାଟିର ସମାଧାନ ପାଇଁ ଗୁରୁତ୍ୱ ନଦେଇ ଯେଉଁ ଚାଷୀ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନକଲି ଚାଷୀ କହିବା ଗଣତନ୍ତ୍ରରେ ଏହା ଏକ ହୀନମନ୍ୟତାର ପରିଚୟ ।
ଯଦି ସରକାର ଅସଲି ଚାଷୀଙ୍କଠାରୁ ଧାନ କିଣୁଛନ୍ତି, ସେମାନଙ୍କ ନାମ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଛନ୍ତି କାହିଁକି? ଟୋକନ ଲାପ୍ସ ପାଇଁ ବର୍ତ୍ତମାନ ଦାୟୀ କିଏ? ସରକାର ଧାନ କ୍ରୟ ନୀତିରେ କହିଲେ ଗତବର୍ଷ ବଡ଼ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କିଣାଯାଇଥିଲା । ବଡ଼ଚାଷୀ ଚଳିତବର୍ଷ ୧୫୦ କ୍ୱିଣ୍ଟାଲ ଧାନ ବିକ୍ରି କରିବେ ବୋଲି ସିିଲିଂ କରାଯାଇଛି । ମୋଟ ୫ ଏକର ଜମିରୁ ଏକର ପିଚ୍ଛା ୧୯ କ୍ୱିଣ୍ଟାଲ ହିସାବରେ ଧାନ କ୍ରୟ କରାଯିବ । ଯଦି ବଡ଼ଚାଷୀଙ୍କଠାରୁ ଏହି ହିସାବରେ ୯୫ କ୍ୱିଣ୍ଟାଲ ଧାନ କ୍ରୟ କରାଯାଏ ସରକାର କିପରି ଚଳିତ ଥର୧୫୦ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ସିଲିଂ କରିଛନ୍ତି ଏହା ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଗତ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀଙ୍କ ପାଖରେ ଯେତେ ବଳକା ଧାନ ଅଛି କ୍ୱିଣ୍ଟାଲ ପ୍ରତି ୩୧୬୯ ଟଙ୍କା ଦେଇ ବ୍ୟବସ୍ଥିତ ଢଙ୍ଗରେ ସବୁ ବଳକା ଧାନ କିଣାଯିବା କଥା । କେନ୍ଦ୍ର ସରକାର ଧାନର ସଂଗ୍ରହ ମୂଲ୍ୟ ଉପରେ ୬୯ଟଙ୍କା ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ୬୯ଟଙ୍କା ଚାଷୀଙ୍କୁ ଦିଆଯାଉନାହିଁ । ଏବେ ଚାଷୀଙ୍କଠାରୁ ସବୁ ବଳକା ଧାନ କିଣା କ୍ଷେତ୍ରରେ ସରକାର ୨୦୨୪ ସାଧାରଣ ନିର୍ବାଚନରେ ଚାଷୀଙ୍କୁ ଦେଇଥିବା ୮୦୦ଟଙ୍କା ଇନପୁଟ୍ସ ସହାୟତା ନେଇ ଅକଳରେ ପଡ଼ିଛନ୍ତି ।
ତେଣୁ ଚାଷୀଙ୍କୁ ଭୁଆଁ ବୁଲାଉବା ସାର ହୋଇଛି । ରାଜ୍ୟ ସରକାରଙ୍କ ଧାନ କିଣା କ୍ଷେତ୍ରରେ ଏପରି ବାଚାଳାମି ଯୋଗୁଁ ଗଣତନ୍ତ୍ରରେ ଚାଷୀର ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଣୁ କାଳବିଳମ୍ବ ନ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମଣ୍ଡିଗୁଡ଼ିକରେ ଷ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ, ୧୫୦ କ୍ୱିଣ୍ଟାଲ ସିଲିଂ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର, ରେଜେଷ୍ଟ୍ରିଭୁକ୍ତ ସମସ୍ତ ଚାଷୀଙ୍କଠାରୁ ସବୁ ଧାନ କିଣିବା, ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ, କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ଏବଂ ଯେଉଁ ଚାଷୀଙ୍କ ଟୋକନ୍ ଲାପ୍ସ କରିଛି ପୁନଶ୍ଚ ଟୋକନ ଅବଧି ଆଉ ୧ମାସ ବୃଦ୍ଧି କରିବା ପାଇଁ ପିସିସି ସମବାୟ ପ୍ରକୋଷ୍ଠ ପକ୍ଷରୁ ଏକ ଦାବୀପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଆଜି ଏହି ମର୍ମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ, ପି. ଦେବେନ୍ଦ୍ର କୁମାର ରାଓ, ଭବାନୀ ଶଙ୍କର ତ୍ରିପାଠୀ, ସୁବାଷ ରାଉତ, ବୃନ୍ଦାବନ ଖଟେଇ, ପଦ୍ମ ଚରଣ ସାହୁ, ଗୋବିନ୍ଦ ପଟେଲ, ଦୟାସାଗର ମେଣ୍ଡଲୀ, ଉତ୍ତମ ତ୍ରିପାଠୀ, ମହେନ୍ଦ୍ର ପରିଡ଼ା, ସଦାନନ୍ଦ ଓଝା, ଅରବିନ୍ଦ ସାମଲ, ବସନ୍ତ ପରିଡ଼ା, ରତିକାନ୍ତ ଗଡ଼ନାୟକ, ଗୋବିନ୍ଦ ମିଶ୍ର, ସାନନ୍ଦ ମିଶ୍ର, ସ୍ୱପ୍ନେଶ୍ୱର ପୃଷ୍ଟି, ରଘୁନାଥ ପଲିଆ, ଧ୍ରୁବ ଚରଣ ପରିଡ଼ା ପ୍ରମୁଖ ପ୍ରତି ଜିଲ୍ଲାର ଚାଷୀନେତାମାନେ ସରକାରଙ୍କ ଏପରି ନୀତିକୁ ନାପସନ୍ଦ କରିଛନ୍ତି ।










