ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଦେଶକୁ ବଦ୍ନାମ କରିବାକୁ ଅପଚେଷ୍ଟା କରୁଛନ୍ତି । ଭାରତର ଦିଲ୍ଲୀଠାରେ ଆୟୋଜିତ ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ୍ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ବିଦେଶୀ ଅତିଥିଙ୍କ ସମ୍ମୁଖରେ ସାର୍ଟ ଖୋଲି ଅର୍ଦ୍ଧନଗ୍ନ ପ୍ରଦର୍ଶନ କରି ଦେଶର ଗାରିମାକୁ ବିଶ୍ୱ ଦରବାରରେ କ୍ଷୁର୍ଣ୍ଣ କରିଛନ୍ତି । ଏଭଳି କାର୍ଯ୍ୟକରି କଂଗ୍ରେସ ଦଳ ଦିନକୁ ଦିନ ଆହୁରି ପତନ ଆଡ଼କୁ ଗତି କରୁଛି । ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ ବୈଚାରିକ ଭାବେ କେତେ ଦେବାଳିଆ ଓ ଚରିତ୍ରହୀନ ହୋଇଗଲାଣି, ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ କହିଛନ୍ତି ।
କଂଗ୍ରେସ ଦଳର ଏଭଳି ଅଭଦ୍ର ଆଚରଣର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲଗାନ୍ଧୀଙ୍କ କୁଶପୁତଳିକା ଦାହ କରିଥିଲେ । ଏଭଳି ଦେଶଦ୍ରୋହୀ କାର୍ଯ୍ୟ ପାଇଁ ରାହୁଲ ଗାନ୍ଧୀ ଦେଶବାସୀଙ୍କ ସମ୍ମୁଖରେ ନିସର୍ତ କ୍ଷମା ପ୍ରାର୍ଥନା କରିବାକୁ ମହିଳା ମୋର୍ଚ୍ଚା ଦାବୀ କରିଛି । ଏହି ବିକ୍ଷୋଭରେ ବିଜେପି ମହିଳା ମୋର୍ଚ୍ଚାର ଉପସଭାପତି ଡ. ରଞ୍ଜିତା ସେଠୀ, ସମ୍ପାଦିକା ନନ୍ଦିନୀ ଶତପଥୀ ପ୍ରମୁଖଙ୍କ ସମେତ ମହିଳା ମୋର୍ଚ୍ଚା ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ବିଶ୍ୱାଳ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଅନୁଷ୍ଠିତ ହେବା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ମାତ୍ର ଏହି ସମିଟ୍ରେ ଘୃଣ୍ୟ ରାଜନୀତି ପାଇଁ କଂଗ୍ରେସ କର୍ମୀମାନେ ଭାରତକୁ ଅପମାନିତ କରିବାକୁ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରିଛନ୍ତି । ଗଣତନ୍ତ୍ରରେ ବିରୋଧୀ ଦଳ ହିସାବରେ ଶାସକ ଦଳକୁ ବିରୋଧ, ଶାସକ ଦଳର ପଲିସିକୁ ବିରୋଧ କରିବା ସ୍ୱାଗତ ଯୋଗ୍ୟ । କିନ୍ତୁ ଏହି ଗ୍ଲୋବାଲ ସମିଟ୍ କୌଣସି ରାଜନୈକି ମଂଚ ନ ଥିଲା । ଏଠାରେ ଭାରତର ବୈଷୟିକ ପ୍ରଗତି ଓ ନବସୃଜନକୁ ପ୍ରଦର୍ଶିତ କରାଯାଇଥିଲା । ଏଭିଳି ସ୍ଥାନରେ କଂଗ୍ରେସ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଜାଣିଶୁଣି ଦେଶର ଛବିକୁ ମଳିନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାହୁଲ ଗାନ୍ଧୀଙ୍କ ଏଭଳି ନିଚ୍ଚ ରାଜନୀତିକୁ ଦେଶବାସୀ କେବେ କ୍ଷମା ଦେବେନାହିଁ ବୋଲି ଡା. ବିଶ୍ୱାଳ କହିଛନ୍ତି ।










