27.1 C
Bhubaneswar
Saturday, December 6, 2025
Homeଓଡିଶାଓଡ଼ିଶାରେ ଠିକଣା ରାସ୍ତାରେ କଂଗ୍ରେସ, ନେତା ଓ କର୍ମୀ ଏହି ଧାରା ଅବ୍ୟାହତ ରଖନ୍ତୁ: ବେଣୁଗୋପାଳ

ଓଡ଼ିଶାରେ ଠିକଣା ରାସ୍ତାରେ କଂଗ୍ରେସ, ନେତା ଓ କର୍ମୀ ଏହି ଧାରା ଅବ୍ୟାହତ ରଖନ୍ତୁ: ବେଣୁଗୋପାଳ

ଭୁବନେଶ୍ୱର: କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଦଳର ନେତା ଓ କର୍ମୀଙ୍କ ଭିତରେ ଏହି ମର୍ମରେ ଉତ୍ସାହ ଭରିଛନ୍ତି ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୌରୋହିତ୍ୟରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି, କିଛି ଦିନରେ ସୃଜନ ପ୍ରକ୍ରିୟାରେ ଦେଶର ସମସ୍ତ ଜିଲ୍ଲାରେ ସଙ୍ଗଠନ ହୋଇଯାଇଥିବ।

ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ଓଡିଶାର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଚୟନ କାର୍ଯ୍ୟ ଶେଷ ହେବ। ଦଳର ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନରେ ଗୁଜରାଟରେ ହୋଇଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଶୈଳୀରେ ଓଡ଼ିଶା କଂଗ୍ରେସ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହେବ ବୋଲି ସେ ସୂଚନା ଦେଇଥିଲେ। ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ସେ ଆହୁରି କହିଥିଲେ ଦଳ ଏବେ ଜନସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଉଛି। ଦଳର ନେତା ଓ କର୍ମୀମାନେ ପରିଶ୍ରମ କଲେ ଉଭୟ ବିଜେପି – ବିଜେଡିକୁ ହରାଇବା ସମ୍ଭବ। ପ୍ରତି ତିନିମାସରେ ଥରେ ନବନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ। ଅକ୍ଟୋବର ମାସରେ କଂଗ୍ରେସ ସମସ୍ତ ବ୍ଲକରେ ପହଞ୍ଚିବ। ନଭେମ୍ବର – ଡିସେମ୍ବରରେ ଭୋଟ ଚୋରି ପ୍ରସଙ୍ଗକୁ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବା ସହ ବୁଥ କମିଟି ଗଠନ କାର୍ଯ୍ୟ ସାରିବାକୁ ସେ ଆହ୍ଵାନ ଦେଇଥିଲେ। ପିସିସି ସଭାପତିଙ୍କ ଦ୍ଵାରା ପ୍ରସ୍ତାବିତ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ବର୍ଷବ୍ୟାପୀ ପଦଯାତ୍ରାକୁ ସେ ପ୍ରଶଂସା କରି ସେ କହିଲେ, ଏଥିରେ ଯେପରି ସମସ୍ତ ସକ୍ରିୟ ନେତା ଓ କର୍ମୀ ଭାଗ ନିଅନ୍ତି ତାହା ଦେଖିବାକୁ ହେବ। ପି.ଏ.ସି ବୈଠକରେ ଅଧ୍ୟକ୍ଷତା କରି ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, କଂଗ୍ରେସ ଏବେ ରାଜ୍ୟରେ ଉଠୁଛି।

ଓଡ଼ିଶାରେ ପିସିସି ଯେଉଁ ଗତିରେ କାମ କରୁଛି, ସେହି ଧାରା ଅବ୍ୟାହତ ରହିଲେ ୨୦୨୯ ରେ ଆମକୁ ରୋକିବା ଅସମ୍ଭବ ହେବ। ପିସିସି ସଭାପତି ଶ୍ରୀ ଦାସ କହିଲେ, ସଂଗଠନ ସୃଜନରେ ଅଗଣିତ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ବୃଥା ଯିବନାହିଁ। ଆସନ୍ତା ଅକ୍ଟୋବର ୨ରୁ ବର୍ଷବ୍ୟାପୀ ପଦଯାତ୍ରାରେ ଭାଗ ନେବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ଵାନ କରିଥିଲେ। ରାଜନୈତିକ ବ୍ୟାପାର କମିଟି ବୈଠକରେ ମହମ୍ମଦ ମୁକିମ୍, ନଗେନ୍ଦ୍ର ନାଥ ପ୍ରଧାନ, ସୁଶୀଳା ତିରିୟା, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ସୋଫିଆ ଫିର୍ଦ୍ଦୋଷ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ଓ ଡ ବିଶ୍ଵ ରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନେକ ପ୍ରସ୍ତାବ ରଖିଥିବା ବେଳେ ମିନାକ୍ଷୀ ବାହାନିପତି ଓ ରଞ୍ଜିତ ପାତ୍ର ଯଥାକ୍ରମେ ମହିଳା କଂଗେସ ଓ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟପକ୍ଷରେ ସୃଜନ ବୈଠକରେ ଅମର ପ୍ରଧାନ, ଶରତ ରାଉତ, ଟଙ୍କଧର ସାହୁ, ଅମିତା ବିଶ୍ଵାଳ, ଅମ୍ରିତା ଦାସ, ଶକୁନ୍ତଳା ଲାଗୁରି, ସସ୍ମିତା ପଣ୍ଡା, ବିଶ୍ଵ ରଞ୍ଜନ ଦାସ, ଅଭୟ ସାହୁ, ମାନସ ମଲ୍ଲିକ, ଯଶୋବନ୍ତ ସିଂ ଲାଗୁରି, ମଧୁସ୍ମିତା ପଣ୍ଡା, ସି ଏସ ରାଜନ୍ ଏକ୍କା ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୃଜନ ଅଧକ୍ଷ ଡ ଦେବାଶିଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହ ଅଧ୍ୟକ୍ଷ ସୁଧାଂଶୁ ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଭୟ କାର୍ଯ୍ୟକ୍ରମକୁ ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking