19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକଂଗ୍ରେସ ଆମ ଦେଶର ‘ନୂଆ ମୁସଲିମ ଲିଗ୍‌’: ବିଜେପି

କଂଗ୍ରେସ ଆମ ଦେଶର ‘ନୂଆ ମୁସଲିମ ଲିଗ୍‌’: ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଆମ ଦେଶର ନୂଆ ମୁସଲିମ ଲିଗ୍‌। ଦେଶର ଏହି ସର୍ବପୁରାତନ ଜାତୀୟ ଦଳ ପ୍ରତି ଏଭଳି କିଛି ଆକ୍ଷେପ କରିଛି ବିଜେପି। କଂଗ୍ରେସ ପକ୍ଷରୁ ପୂଜା ସ୍ଥଳ (ସ୍ପେଶାଲ ପ୍ରୋଭିଜନ) ଆଇନ୍‌କୁ ସମର୍ଥନ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯିବା ପରେ ବିଜେପି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ରୂପେ ହିନ୍ଦୁ ବିରୋଧୀ ଏବଂ କଂଗ୍ରେସ ଏପରି କରି ହିନ୍ଦୁମାନଙ୍କ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛି ବୋଲି ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି।

ଅମିତ୍ ମାଲବ୍ୟ କହିଛନ୍ତି, କଂଗ୍ରେସର ପିଟିସନ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟଗୁଡ଼ିକୁ ସୁଧାରିବାର ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବା ପାଇଁ ଉଦ୍ଦିଷ୍ଟ। କଂଗ୍ରେସ ଆମ ଦେଶର ନୂଆ ମୁସଲିମ ଲିଗ୍ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ କଂଗ୍ରେସ ଉଦ୍ଦେଶ୍ୟରେ ଅନୁରୂପ ମନ୍ତବ୍ୟ ଦେଇଥିଲେ। ନଡ୍ଡା କହିଥିଲେ କଂଗ୍ରେସ ଏବେ ମୁସଲିମ ଲିଗ ରାସ୍ତାରେ ବାଟ ଚାଲୁଛି। ବିଜେପି କହିଛି, କଂଗ୍ରେସ ଭାରତର ବିଭାଜନ ସମୟରେ ଧାର୍ମିକ ଆଧାରରେ ସହମତି ପ୍ରକାଶ କରିଥିଲା ଏବଂ ପରବର୍ତ୍ତୀ ସମୟରେ ୱାକଫ୍ ଆଇନ ଲାଗୁ କଲା। ଯେଉଁଥିରେ ମୁସଲମାନମାନଙ୍କୁ ନିଜ ଇଚ୍ଛା ଅନୁସାରେ ବିଭିନ୍ନ ସମ୍ପତ୍ତି ଉପରେ ଦାବି ଜାହିର କରିବାର ଅନୁମତି ଦିଆଗଲା। ଏହାପରେ କଂଗ୍ରେସ ପୂଜା ସ୍ଥଳ ଆଇନ ପାରିତ କଲା, ଯେଉଁଥିରେ ହିନ୍ଦୁମାନଙ୍କୁ ସେମାନଙ୍କ ଧାର୍ମିକ ଏବଂ ଐତିହାସିକ ସ୍ଥଳଗୁଡ଼ିକୁ ପୁନଃ ପ୍ରାପ୍ତ କରିବାର ଅଧିକାରକୁ ବଳପୂର୍ବକ ଛଡ଼ାଇ ନିଆଗଲା। ତେବେ ବିଜେପିର ଏପ୍ରକାର ଟିପ୍ପଣୀକୁ ନେଇ ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି।

କଂଗ୍ରେସ ସରକାର ସମୟରେ ୧୯୯୧ରେ ଲାଗୁ ହୋଇଥିବା ପୂଜା ସ୍ଥଳ ଆଇନକୁ ଚାଲେଞ୍ଜ କରି କିଛି ଆଇନଜୀବୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତେବେ କଂଗ୍ରେସ ଏହି ଆଇନ ସମର୍ଥନରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିବା ପରେ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ୧୯୯୧ ମସିହାରେ ନରସିଂହ ରାଓ ସରକାର ସମୟରେ ଏହି ଆଇନ ପାରିତ ହୋଇଥିଲା। ବିଜେପି ପକ୍ଷରୁ ସେତେବେଳେ ଏହାକୁ ବିରୋଧ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking