25.1 C
Bhubaneswar
Thursday, February 5, 2026
Homeଓଡିଶାକେବଳ ଯାଜପୁର ନୁହେଁ ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛି କଂଗ୍ରେସ: ଗୌତମ ରାୟ

କେବଳ ଯାଜପୁର ନୁହେଁ ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛି କଂଗ୍ରେସ: ଗୌତମ ରାୟ

ଭୁବନେଶ୍ୱର: ଯେଉଁଦିନ ଠାରୁ ଓଡିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେଦିନରୁ କଂଗ୍ରେସ ଦଳର ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତା ଅରୁଚିକର ମନ୍ତବ୍ୟ ଦେଇ ଆସୁଛି । ରାଷ୍ଟ୍ରମୁଖ୍ୟଙ୍କୁ ନିଚ୍ଚା ଦେଖାଇବା ପାଇଁ ଅପଚେଷ୍ଟା କରୁଛି । ଏମିତି ମନ୍ତବ୍ୟ ଦେବା କଂଗ୍ରେସ ଦଳର ଚିରାଚରିତ ଅଭ୍ୟାସ । ରାଷ୍ଟ୍ରପତିଙ୍କୁ ଅବମାନନା କରି ପିସିସି ସଭାପତି କେବଳ ଯାଜପୁର ନୁହେଁ ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛନ୍ତି ବୋଲି ବରିଷ୍ଠ ନେତା ତଥା ଯାଜପୁର ଜିଲ୍ଲା ପୂର୍ବତନ ସଭାପତି ଶ୍ରୀ ଗୌତମ ରାୟ କହିଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜଣେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ କରି ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ପ୍ରଥମ ଥର ମା’ ବିରଜାଙ୍କ ମନ୍ଦିର ଗସ୍ତ କରିବା ଯାଜପୁରବାସୀଙ୍କ ମନରେ ବଡ ଉତ୍ସାହ ଭରି ଦେଇଛି, ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକେ ରାଷ୍ଟ୍ରପତିଙ୍କୁ ଅତିଥି ସେବା ଯୋଗାଇବାର ସୁଯୋଗ ପାଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ବିରଜା ମାଟିର ମାହାତ୍ମ୍ୟ ବଢିବା ସହ ଏହାର ମହିମା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁତ ପ୍ରଚାର ପ୍ରସାର ହୋଇପାରିଛି । ଜଣେ ଓଡିଆ ଜନଜାତି ଝିଅ ରାଷ୍ଟ୍ରପତି ହୋଇ ମଧ୍ୟ ଆମ ଅଂଚଳକୁ ଗସ୍ତ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବର ବିଷୟ । ତାଙ୍କର ଉପସ୍ଥିତି ଆମ ସମସ୍ତଙ୍କୁ ଅତ୍ୟନ୍ତ ଆନନ୍ଦ ଦେଇଛି । ଏଭଳି ସମୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠଇବା ପିସିସି ସଭାପତିଙ୍କ ହୀନ ମାନସିକତାର ପରିଚୟ ଦେଇଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଖର୍ଚ୍ଚକୁ ପାନୀୟ ଜଳ ପ୍ରକଳ୍ପ ସହ ତୁଳନା କରି ବକ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ।

ଶ୍ରୀ ରାୟ କହିଛନ୍ତି ଯେ, ଶୁଦ୍ଧ ପାନୀୟ ଜଳ ପିଇବା ଲୋକଙ୍କ ଅଧିକାର,ଏଥିରେ କୌଣସି ଦ୍ୱିମତ ନାହିଁ । ପାଲଟପୁର ପଂଚାୟତରେ ପିଇବା ପାଣିରେ ଅସୁବିଧା ହେଉଛି, ଏଠାରେ ଶୁଦ୍ଧ ପାଣି ଦରକାର ଏଥିରେ କାହାର ଅଭିଯୋଗ ନାହିଁ । ଗତ ବିଜେଡି ସରକାର ଅମଳରେ ଜଳ ଜୀବନ ମିଶନରେ ଦଶରଥପୁର ବ୍ଲକରେ ଘରେ ଘରେ ଟ୍ୟାପ ଯୋଗାଇବା ପାଇଁ ୧୮୦କୋଟି ଟଙ୍କା ମୋଦି ସରକାର ଦେଇଥିଲେ ଏବଂ ସେଥିରୁ ୨୦୧୯ ମସିହାରେ ୧୭୮ କୋଟି ଟଙ୍କା ସରିଯାଇଛି । ଏହା ସତ୍ୱେ ସେ ଅଂଚଳକୁ ଶୁଦ୍ଧ ପାନୀୟ ଜଳ ପହଂଚିଲା ନାହିଁ । ମେଗା ପାନୀୟ ଜଳ ଯୋଜନାରେ ବ୍ୟାପକ ହରିଲୁଟ ଓ ଦୁର୍ନୀତି ହୋଇଥିବା ସମସ୍ତେ ଅବଗତ ଅଛନ୍ତି । ପାଲଟପୁର ଅଂଚଳବାସୀ କାହିଁକି ବିଶୁଦ୍ଧ ପାଣି ପିଉଛନ୍ତି ବୋଲି କଂଗ୍ରେସ ମୁଖିଆ ବା ତାଙ୍କ ଦଳର ନେତାମାନେ ତତ୍କାଳୀନ ବିଜେଡି ସରକାରକୁ କାହିଁକି ପ୍ରଶ୍ନ କରୁନାହାଁନ୍ତି? ରାଷ୍ଟ୍ରପତିଙ୍କ ଗସ୍ତ ଖର୍ଚ୍ଚରୁ ବଂଚାଇ ଟ୍ୱିବଲ ଖୋଲିବା ଆଦୌ ଯୁକ୍ତିଯୁକ୍ତ କଥା ନୁହେଁ । କଂଗ୍ରେସ ଦଳର ମୁଖିଆ ଓ ନେତାମାନେ ଏସବୁ ଅଯୁକ୍ତିକର କଥାରୁ ନିବୃତ ରହିବା ଆବଶ୍ୟକ । ବର୍ତମାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯାଜପୁର ସମେତ ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବଦ୍ଧପରିକର । ଅତୀତରେ ପାନୀୟ ଜଳ ଯୋଗାଣରେ ହୋଇଥିବା ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ କରାଯାଇ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking