ନୂଆଦିଲ୍ଲୀ: ବସ ଭିତରେ ନିଆଁ ଲାଗି ବସ କଣ୍ଡକ୍ଟରଙ୍କ ମୃତ୍ୟୁ । ଦିଲ୍ଲୀର ବିକାଶପୁରୀ ଅଞ୍ଚଳରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।ମୃତକ ହେଉଛନ୍ତି ସୁନୀଲ, ୨୫ ବର୍ଷ ବୟସ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ସୁନୀଲ ରାତିରେ ବସ ଭିତରେ ମଶା ଧୂପ ଜାଳି ଶୋଇଥିଲେ । ଧୂପକାଠି ଯୋଗୁଁ ନିଆଁ ଲାଗିଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଯେଉଁଥିରେ ସମ୍ପୁର୍ଣ୍ଣ ବସଟି ଜଳି ପୋଡି ନଷ୍ଟ ହୋଇଯାଇଛି । ପୋଲିସ ଆହୁରି କହିଛି ଯେ, ହରିଆଣା ପଞ୍ଜିକରଣ ନମ୍ବର ଥିବା ବସଟି ଏକ ଘରୋଇ ଯାନ ଥିଲା । ୨୮ ଦିନ ପୂର୍ବରୁ ଏହାକୁ ସେବାରେ ଲଗାଯାଇଥିଲା । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ସୁନୀଲଙ୍କ ମୃତଦେହ ବସରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । ସୁନୀଲଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।










