ପୁରୀ : ପହଣ୍ଡିରେ ଶୃଙ୍ଖଳା ପାଇଁ ବାରମ୍ବାର ଚିଠି କରି ଆସୁଛୁ, ଫଳ ଶୂନ : ଦୁର୍ଗାପ୍ରସାଦ ଦାସମହାପାତ୍ର
ଗତକାଲିର ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ଶ୍ରୀ ଦାସମହାପାତ୍ର କହିଛନ୍ତି, ଗତକାଲି ଦିଅଁ ଯେତେବେଳେ ହଂସପଟା ଉପରକୁ ଆସିଲେ, ଟାହିଆ ବନ୍ଧା ହେଲା, ସେତେବେଳେ ଘସା, ବନ୍ଦାପନା, ବିଡ଼ିଆ ନୀତି କରିବାକୁ ବହୁ ବିଳମ୍ବ କରାଗଲା; ୪୫ ମିନିଟ୍ ସମୟ ଲଗାଇ ଦିଆଗଲା। ସିଂହାସନଠାରୁ ହଂସପଟା ଶେଷ ପର୍ଯ୍ୟନ୍ତ ଗଡ଼ାଣିଆ ଯେହେତୁ ଠାକୁର ୪୫ ମିନିଟ୍ ଧରି ଗଡ଼ାଣିଆ ଜାଗାରେ ରହିଲେ, ଧୀରେ ଧୀରେ ସେହି ଗଡ଼ାଣିଆ ଜାଗାରୁ ଖସିବା ଆରମ୍ଭ କଲେ । ବିଳମ୍ବରେ ନୀତି ଆରମ୍ଭ ହୋଇଥିଲେ ବି ବିଡ଼ିଆ ମଣୋହି ଆରମ୍ଭ ହେବା ବେଳକୁ ଦିଅଁ ଖସି ପଡ଼ିଲେ। ପଟା ଦେହରେ ବନ୍ଧା ଯାଇଥିବା ଛାଟେଣି ଖସି ଯାଇଥିଲା ଟାହିଆ ବନ୍ଧା ହେବା ସମୟରେ ଛାଟେଣି ବାନ୍ଧିବାରେ କିଛି ଅସୁବିଧା ରହିଥିଲା, ଯେଉଁଥିପାଇଁ ଏହି ଅଘଟଣ ଘଟିଗଲା। ସେବକଙ୍କ ସହ ଅନଭିଜ୍ଞ ଛୋଟଛୋଟ ପିଲାମାନେ ଥିଲେ । ପହଣ୍ଡିରେ ଅନ୍ୟମାନେ ସାହାଯ୍ୟ କରୁଥିଲେ ବି ଅଘଟଣ ଘଟିଲେ ଦଇତାପତି ଉତ୍ତରଦାୟୀ । ଦୀର୍ଘ ବର୍ଷ ଧରି ଦଇତାପତି ନିଯୋଗ ପକ୍ଷରୁ ପହଣ୍ଡିରେ ଶୃଙ୍ଖଳା ଆଣିବା ପାଇଁ ଚିଠି କରାଯାଇ ଆସୁଛି। ଏକାଧିକ ଥର ବୈଠକ ହୋଇଛି। କିନ୍ତୁ ତାହାର ସୁଫଳ ମିଳିପାରିନି ।
ମୋବାଇଲ୍ ବନ୍ଦ ହେଉ, ପରିଚୟପତ୍ର ଦିଆଯାଉ : ଜଗନ୍ନାଥ ସ୍ବାଇଁ ମହାପାତ୍ର
ପହଣ୍ଡିରେ ଛୋଟ ପିଲାମାନେ ଯେଉଁଭଳି ଉତ୍ପାତ କରୁଛନ୍ତି, ସହିହେବନି। ଯାହାର କାମ କିଛି ନାହିଁ, ସେମାନେ ରଥରେ ଚଢୁଛନ୍ତି, ଜୋର୍ ଜବରଦସ୍ତ ଭିଡ଼ାଭିଡ଼ି କରୁଛନ୍ତି । ଏହା ଚରମ ବିଶୃଙ୍ଖଳା । ପଛପଟେ ଯେଉଁ ସେବକମାନେ ଥିଲେ ସେମାନେ ବିଶୃଙ୍ଖଳା କରିଥିଲେ । ୫୦ ଜାଗାରେ ୫ ଶହ ଚଢ଼ିଲେ । ପ୍ରଭୁଙ୍କୁ ଛାଡ଼ିଦେଲେ। ଖାଲି ଫଟୋ ଉଠାଇବାରେ ମାତିଲେ। ଏଇଟା ଅତି ଅଶୋଭନୀୟ ଯେଉଁଦିନ ମୋବାଇଲ୍ ବନ୍ଦ ହୋଇଯିବ, ଶୃଙ୍ଖଳା ଆସିବା । ଯେଉଁମାନଙ୍କ ସେବା ଅଛି, ସେମାନଙ୍କୁ ପରିଚୟପତ୍ର ଦିଆଯିବା ଜରୁରୀ। ଗତକାଲିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର।
ଠାକୁର ପଡ଼ିଲେ ବିପଦ, ଘୃତ ଆହୁତି ଜରୁରୀ : ରାମକୃଷ୍ଣ ଦାସମହାରାଜ
ପହଣ୍ଡି ବେଳେ ରଥରୁ ଠାକୁର ପଡ଼ିଗଲେ ବହୁ ଅନିଷ୍ଠ ଘଟେ। ରାଜା ଓ ରାଜ୍ୟକୁ ବିପଦ ମାଡ଼ି ଆସେ । ଏହା ଶାସ୍ତ୍ରରେ ଉଲ୍ଲେଖ ରହିଛି ବୋଲି କହିଛନ୍ତି ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାରାଜା ଶ୍ରୀ ଦାସମହାରାଜ କହିଛନ୍ତି, ଏହି ରିଷ୍ଟ ଖଣ୍ଡନ ପାଇଁ ବ୍ରାହ୍ମଣମାନଙ୍କ ଦ୍ବାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଯିବାର ବିଧି ରହିଛି। ଏକ ଲକ୍ଷ ଘୃତ ଆହୁତି ଦେବାର ବିଧି ରହିଛି । ୧୦ ହଜାର ତର୍ପଣ ସହ ୧ ହଜାର ବ୍ରାହ୍ମଣ ଭୋଜନ କରାଇବାର ବିଧି ରହିଛି।