କୁଚିଣ୍ଡା: ଜୈନେକ ବିବାହିତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଶେଷରେ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ପୁଲିସ କଲ୍ଲେହୀପାଲି କଲେଜ ଅଧ୍ୟକ୍ଷ ଡିଲେଶ୍ୱର ବେହେରାଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି । ସୂତନା ମୁତାବକ କଲ୍ଲେହୀପାଲି କଲେଜର ଅଧ୍ୟକ୍ଷ ଡିଲେଶ୍ୱର ବେହେରା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବାଉରିଗୋଡ଼ ଗ୍ରାମପଞ୍ଚାୟତର କୁର୍ମିମୁଣ୍ଡା ଗ୍ରାମର ବାସିନ୍ଦା ଅଟନ୍ତି । ସେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ଦୀର୍ଘଦିନ ଧରି ପ୍ରେମସମ୍ପର୍କ ରଖିଥିଲେ । ମହିଳାଙ୍କୁ ବିବାହ କରିବାର ପ୍ରଲୋଭନ ଦେଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ।
ଏ ବାବଦରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜାଣିବା ପରେ ପରିବାରରେ ଅଶାନ୍ତି ସୃଷ୍ଟିହେବା ସହ ମହିଳାଙ୍କୁ ଘରୁ ତଡ଼ି ଦେଇଥିଲେ । ପରେ ଅନ୍ୟ କୌଣସି ଉପାୟ ନପାଇ ମହିଳା ଜଣକ ଅଧ୍ୟକ୍ଷ ଡିଲେଶ୍ୱରଙ୍କୁ ବିବାହ ପାଇଁ ବାଧ୍ୟ କରିବାରୁ ସେ ସ୍ପଷ୍ଟ ଭାବେ ମନାକରି ତାଙ୍କୁ ହତ୍ୟା ଧମକ ଦେଇଥିଲେ । ମାତ୍ର ସମ୍ପୃକ୍ତ ମହିଳା ବିବାହ ଜିଦ୍ରୁ ନ ଓହରିବାରୁ ଅଧ୍ୟକ୍ଷ ଆଉ ଧରାଛୁଆଁ ଦେଇନଥିଲେ, ଏପରିକି ମହିଳାଙ୍କ ଫୋନ୍ କଲ୍ ବି ରିସିଭ୍ କରିନଥିଲେ । ପ୍ରେମରେ ପ୍ରତାରଣାର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣକ ଗତ ୧୭ ତାରିଖ ଦିନ କୁଚିଣ୍ଡା ଥାନାରେ ଏ ବାବଦରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ କଲେଜ ଅଧ୍ୟକ୍ଷ ଡିଲେଶ୍ୱରଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା ତେବେ କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିବା ଜଣାପଡ଼ିଛି ।