15.1 C
Bhubaneswar
Saturday, December 6, 2025
Homeଓଡିଶାସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ : ସମବାୟ ମନ୍ତ୍ରୀ

ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ : ସମବାୟ ମନ୍ତ୍ରୀ

ଭୁବନେଶ୍ଵର:  ଓଡ଼ିଶାର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ । ସମବାୟ ଅନୁଷ୍ଠାନ ହେବ ଆତ୍ମନିର୍ଭରଶୀଳ । ପ୍ରଗତିର ପ୍ରମୁଖ ଇଂଜିନ୍ ସାଜିବ ଓ ତୃଣମୂଳ ସ୍ତରରେ ସମବାୟ ଅନୁଷ୍ଠାନ ଲୋକଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦେବ ବୋଲି ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ ଉପରେ ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସେ ଏହା କହିଛନ୍ତି । ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଆଧୁନିକୀକରଣ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର “ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫” ପ୍ରଣୟନ କରିବାକୁ ଯାଉଛନ୍ତି । ଜାତୀୟ ସମବାୟ ନୀତି ପ୍ରକାଶ ପାଇ ସାରିଥିବା ବେଳେ ସମବାୟ ସଂସ୍କାର ଆଧାରରେ “ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫” ପ୍ରକାଶ ପାଇବ ।

ସମବାୟ ସଂସ୍ଥାଗୁଡ଼ିକୁ ଦୀର୍ଘସ୍ଥାୟୀ, ଆତ୍ମନିର୍ଭର, ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ, ନାଗରିକ-କୈନ୍ଦ୍ରିକ ଓ ତୃଣମୂଳ ସ୍ତରରେ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ “ୱାନ୍ ଷ୍ଟପ୍ ସପ୍” ଅନୁଷ୍ଠାନରେ ପରିଣତ କରିବାକୁ ଏହି ନୀତି ଲକ୍ଷ୍ୟ ରଖିଛି ବୋଲି ସମବାୟ ବିଭାଗର କମିଶନର ତଥା ଶାସନ ସଚିବ କହିଛନ୍ତି । କୃଷି ଭିତ୍ତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ଥିକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ଭାବେ ସଶକ୍ତ କରିବ । ଫଳରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ସହ ରାଜ୍ୟ ସରକାରଙ୍କ ଆତ୍ମନିର୍ଭର ପ୍ରତିବଦ୍ଧତାକୁ ଏହା ଦୃଢ଼ କରିବ । ସମବାୟ ସଦସ୍ୟ/ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ସହ ସମିତିର ତଦାରଖ ପାଇଁ ସମିତିଗୁଡ଼ିକର କମ୍ପୁଟରୀକରଣ, ସ୍ୱୟଂଚାଳିତ, ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନ ଦେବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷି, ମତ୍ସ୍ୟ, ଦୁଗ୍ଧ, ଆବାସ, ବିପଣନ, ହସ୍ତଶିଳ୍ପ, ବୟନ, ରେଶମ ଚାଷ ଆଦି କ୍ଷେତ୍ରରେ ସମବାୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଯୁବକ ଏବଂ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ସହ ବୃତ୍ତିଗତ ପରିଚାଳନାରେ ଅଧିକ ସଂସ୍କାର ଆଣିବାକୁ ଏହି ନୀତି ଲକ୍ଷ୍ୟ ରଖିଛି । ଏହାର ଚିଠା ନୀତି ପ୍ରକାଶ ପାଇବା ପରେ ଜନମତକୁ ପ୍ରାଥମିକତା ଦେଇ ରାଜ୍ୟର ୪ଟି ଜୋନରେ ଆଞ୍ଚଳିକ କର୍ମଶାଳା ଆୟୋଜନ ହୋଇସାରିଥିବା ବେଳେ ଆଜି ଚୂଡ଼ାନ୍ତ କର୍ମଶାଳା ଆୟୋଜନ ହୋଇଥିଲା । ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାଶ ଓଡ଼ିଶା ରାଜ୍ୟ ଚିଠା ସମବାୟ ନୀତି ୨୦୨୫ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ର ଓ ମତାମତ ଗ୍ରହଣ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଶାସନ ସଚିବ ଉଷାରାଣୀ ଦାସ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଓସମା ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ର, ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି, ରାଜ୍ୟ ସମବାୟ ୟୁନିୟନର ସଭାପତି ପ୍ରବାସିନୀ ଷଡ଼ଙ୍ଗୀ, ବରିଷ୍ଠ ସମବାୟବିତ୍ ଯଜ୍ଞେଶ୍ଵର ବାବୁ, ପବିତ୍ର ଦାଶ, ଅବସରପ୍ରାପ୍ତ ପ୍ରଶାସକ ଗୋପବନ୍ଧୁ ଶତପଥି, ହରେକୃଷ୍ଣ ମିଶ୍ର, ସୁଦର୍ଶନ ନାୟକ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ, ଅତିରିକ୍ତ ନିବନ୍ଧକ ରୋଜାଲିନ ସେନାପତି, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଯୁଗ୍ମ ସଚିବ ଲିଙ୍ଗରାଜ ନାୟକ, ଅର୍ଥ ପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ, ଶୀର୍ଷ ସମବାୟ ସମିତିର କର୍ମକର୍ତ୍ତା, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମବାୟବିତ୍ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking