23.1 C
Bhubaneswar
Monday, January 19, 2026
Homeଓଡିଶାଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି

ଖଣି ମନ୍ତ୍ରୀଙ୍କୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନିଜର ଦକ୍ଷତାର ପ୍ରମାଣ ଦିଅନ୍ତୁ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବାଲି, ମୋରମ ଓ ପଥର ଚୋରି ବ୍ୟାପକ ହୋଇଥିବା ବେଳେ ଏଥିରେ ସରକାରୀ ଦଳର ନେତା କର୍ମୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ନିକଟରେ ଗଞ୍ଜାମ ଜିଲ୍ଲାରେ ଇଡି ରେଡ୍ରେ ଖଣି ମନ୍ତ୍ରୀଙ୍କ ପ୍ରତିନିଧିଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ, ରାଜ୍ୟର ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ପାଇଁ ବିଜେଡି ଦାବି କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ବାଲି ଚୋରି, ଖଣି ଚୋରି ଅହେତୁକ ବୃଦ୍ଧି ପାଇଛି । ଏହି ଚୋରି ସରକାରୀ ଦଳର ପ୍ରୋତ୍ସାହନରେ ହେଉଛି ବୋଲି ବିଜେଡି ଅଭିଯୋଗ କରିଆସୁଛି । ସରକାରଙ୍କ ପ୍ରୋତ୍ସାହନରେ ହେଉଥିବା ଚୋରିର ଫଳସ୍ୱରୂପ ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ରେ ଏହା ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଗୁରୁ ଖଣିଜ ସମ୍ପଦରେ ୫୦,୦୦୦ କୋଟି ଟଙ୍କାରୁ ୩୪,୦୦୦ କୋଟି ଟଙ୍କାକୁ ଖସି ଆସିଛି । ଏହି ରାଜସ୍ୱ ହାନୀ ରାଜ୍ୟ ଆର୍ଥିକ ସ୍ଥିତି ପାଇଁ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଏହାଛଡା ବାଲି ଓ ଅନ୍ୟାନ୍ୟ ଖଣିଜ ସମ୍ପଦ ଚୋରି ଯୋଗୁଁ ବାଲି ଇତ୍ୟାଦିର ଦର ଅହେତୁକ ବୃଦ୍ଧି ପାଇଛି । ଏହି କାରଣରୁ ସଡ଼କ ସୁରକ୍ଷା ବିପର୍ଯ୍ୟସ୍ତ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିପର୍ଯ୍ୟସ୍ତ ହେଉଛି ।
ଡ଼ ମହାନ୍ତି କହିଥିଲେ, ଏହି ଚୋରି ସମ୍ପର୍କରେ ବିଜୁ ଜନତା ଦଳ ତରଫରୁ ବାରମ୍ୱାର ଅବଗତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି । ନିକଟରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ଇଡି ରେଡ୍ରେ, ଖଣି ମନ୍ତ୍ରୀଙ୍କ ପ୍ରତିନିଧି ନିଜେ ଚୋରିରେ ସମ୍ପୃକ୍ତ ବୋଲି ସ୍ପଷ୍ଟ ହେବାପରେ ଖଣିମନ୍ତ୍ରୀ ବିଭୁତି ଜେନାଙ୍କ ମୁଖା ଖୋଲି ଯାଇଛି । ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ, ଶ୍ରୀ ସୁନୀଲ ପାତ୍ର ଖଣି, ପୋଲିସ ଓ କୋର୍ଟ ବିଭାଗରେ ତାଙ୍କର ପ୍ରତିନିଧିର ମାନ୍ୟତା ଦେଇଥିଲେ । ଶ୍ରୀ ସୁନୀଲ ପାତ୍ରଙ୍କ ବାଲି ଚୋରିରେ ସମ୍ପୃକ୍ତି ଇଡି ରେଡ୍ରେ ସ୍ପଷ୍ଟ ହେବା ପରେ, ଏହି ଚୋରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସିଧାସଳଖ ରହିଛି ବୋଲି ସ୍ପଷ୍ଟ ହୋଇଛି । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜ ଭୂମିକା ବିଷୟରେ ସଫେଇ ଦେବାକୁ ଯାଇ ଯିଏ ବାଲି ଚୋରିରେ ସମ୍ପୃକ୍ତି ହେବ, ତା ଘରେ ଇଡି ପସିବ ବୋଲି ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ଚୋର ଧରାପଡିଗଲା ପରେ ନିଜେ ଚୋର ଚୋର ଚିକ୍ରାର କରି ନିଜେ ଚୋର ନୁହେଁ ବୋଲି କହିବାକୁ ଚେଷ୍ଟା କଲା ପରି ହୋଇଛି, ଯାହାକୁ ରାଜ୍ୟବାସୀ ବେଶ ଭଲ ଭାବେ ବୁଝି ପାରୁଛନ୍ତି । ମନ୍ତ୍ରୀ ଶ୍ରୀ ବିଭୁତି ଜେନା ନିଜେ ଏହି ଚୋରିରେ ସମ୍ପୃକ୍ତି ଅଛନ୍ତି ବୋଲି ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ସୁଶାସନ କଥା କହୁଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି, ଯଦି ସତ୍ସାହସ ଅଛି ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ନିଜ ଦକ୍ଷତାର ପରିଚୟ ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking