25.1 C
Bhubaneswar
Saturday, June 7, 2025
Homeଓଡିଶାପି.ଏମ୍. ଜନମନ୍ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପି.ଏମ୍. ଜନମନ୍ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ମାନେ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକରୁଥିବା ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଗ୍ରାମ ଓ ଜନବସତିକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ନିର୍ଦ୍ଦେଶ ଦେଇ କହିଥିଲେ।

ସୂଚନାଯୋଗ୍ୟ ଯେ, ପି. ଏମ୍. ଜନମନ୍ ଯୋଜନାରେ ଓଡ଼ିଶାର ୧୪ଟି ଜିଲ୍ଲାର ୫୫ଟି ବ୍ଲକ, ୧୭୫୧ ଟି ଗ୍ରାମ/ ଜନ ବସତି, ୨୮୯ଟି ଗ୍ରାମ ପଂଚାୟତ ଏବଂ ୨ ଟି ପୌର ପ୍ରଶାସିତ ଅଂଚଳ ଅନ୍ତର୍ଭୁକ୍ତ ଥିବା ବେଳେ ସମୁଦାୟ ୬୮,୬୦୫ଟି ପରିବାରର ୩,୧୪,୫୧୪ ଲୋକ ଏହି ଯୋଜନାର ସୁଫଳ ପାଇବେ । ବୈଠକରୁ ଜଣାଯାଇଛି ଯେ, ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫,୪୦୮ଟି ଘର , ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରୁ ପ୍ରାୟ ୨୧୦ କିଲୋମିଟରର ପକ୍କା ସଡକ, ୧୬୪୬ ଟି ଗ୍ରାମକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ, ୩୫୧ଟି ଅଂଚଳରେ ମୋବାଇଲ ଟାୱାର ସଂଯୋଗୀକରଣ, ୪୦୫ଟି ଅଂଚଳର ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

୧୪ ଟି ଜିଲ୍ଲାର ଯେଉଁ ଜନ ବସତିର ୫ କିଲୋମିଟର ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ, ସେହିପରି ସମସ୍ତ ଅଂଚଳରେ ମୋବାଇଲ ମେଡିକାଲ ୟୁନିଟର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହିପରି ସମସ୍ତ ୧,୦୫୫ଟି ଜନ ବସତିକୁ ମୋବାଇଲ ମେଡିକାଲ ୟୁନିଟ ଯୋଗାଇ ଦିଆଯାଇଛି ଏବଂ ଏ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ ହୋଇଛି ବୋଲି ବୈଠକରୁ ଜଣା ଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ବିଶେଷତଃ ପିଭିଟିଜି ଅଂଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିମନ୍ତେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ମୋବାଇଲ କନେକ୍ସନ, ଆଦି କାର୍ଯ୍ୟ ଗୁଡିକୁ ଯଥାଶୀଘ୍ର ସମାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଯୋଗାଯୋଗ ହୋଇପାରୁନଥିବା କିମ୍ବା ଦୁର୍ଗମ ଅଂଚଳ ଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସଚିବ ମାନେ ପରିଦର୍ଶନରେ ଯାଇ ସେଠାକାର କାମ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking