24.1 C
Bhubaneswar
Friday, March 20, 2026
Homeଓଡିଶାରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ପୂରଣ ହେବ ନୂଆ 2000 ଟ୍ରାଫିକ୍ ପୋଲିସ ପଦବୀ

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୋଲିସ ଷ୍ଟେସନ, ଆଉ ୨୦ଟି ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସହରାଞ୍ଚଳରେ ରାତ୍ରୀ କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର :  ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଓଡିଶା ପୋଲିସ୍ ପାଇଁ ଥିବା ତିନୋଟି ପ୍ରମୁଖ ଆହ୍ୱାନ ଯଥା- ସଡକ ଦୁର୍ଘଟଣା କମ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକର ଆଲୋଚନାରୁ ଜଣା ଯାଇଛି ଯେ ରାଜ୍ୟରେ ବର୍ତ୍ତମାନ 2198 ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ 2 ହଜାର ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ରାଜ୍ୟରେ 2024 ବର୍ଷରେ 2633ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଛି । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ 14ଟି ଥାନା କାର୍ଯ୍ୟରତ ଅଛି । ସାଇବର ଠକେଇରେ ସାଧାରଣ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ 20ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ପୂର୍ବରୁ କାର୍ଯ୍ୟକ୍ଷମ ଥିବା ଥାନା ଗୁଡିକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ଭୁବନେଶ୍ୱର ଓ କଟକର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହରରେ ରାତ୍ରୀ କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ରାଜ୍ୟର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଏଥିସହିତ ମାଓ ପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ ।

ବାତ୍ୟା ଦାନାର ମୁକାବିଲା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀଠାରେ ନୌସେନା ଦିବସ ଏବଂ ଭୁବନେଶ୍ୱର ଠାରେ 18 ତମ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ସଫଳ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଆଗାମୀ ଦିନରେ ପୋଲିସ ବିଭାଗରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ କରାଯାଇ ବିଭାଗକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking