30.1 C
Bhubaneswar
Thursday, February 5, 2026
Homeଓଡିଶାଜୁନ ୨୦ ସୁଦ୍ଧା ସମସ୍ତ ଡ୍ରେନର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜୁନ ୨୦ ସୁଦ୍ଧା ସମସ୍ତ ଡ୍ରେନର ସଫେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାପଡ଼ିଛି ଯେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଛି । ବାକି ରହିଥିବା ଡ୍ରେନ ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱରରେ ଇସ୍କନ, କଟକ-ରୋଡ଼, ଅହଲ୍ୟା ନଗର, ସମ ହସ୍‍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖ ସ୍ଥାନରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଏ ସବୁ ଜାଗା ଗୁଡ଼ିକରେ ସ୍ଥାୟୀ ସମାଧାନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଭୁବନେଶ୍ବରରେ ମୁଖ୍ୟତଃ ୧୫ଟି ପ୍ରାକୃତିକ ନାଳ ରହିଛି । ଏଥି ସହିତ ସହର ମଧ୍ୟରେ ଅନେକ ଛୋଟ ବଡ଼ ଡ୍ରେନ ରହିଛି । ଏସବୁର ଜଳ ପ୍ରାୟତଃ ଯାଇ ଗଙ୍ଗୁଆ ନଦୀରେ ମିଶୁଛି । ଏଥିରେ ହସ୍‍ପିଟାଲ ବର୍ଜ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦୂଷଣଯୁକ୍ତ ସାମଗ୍ରୀ ମଧ୍ୟ ରହୁଛି । ଗଙ୍ଗୁଆ ନଦୀ ଦୟା ନଦୀ ସହିତ ମିଶିଛି । ତେଣୁ ବିଭିନ୍ନ ଜାଗାରେ ଜଳ ବିଶୋଧନାଗାର ସ୍ଥାପନ କରି ଗଙ୍ଗୁଆ ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ନାଳ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା । ସେହିପରି କଟକରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ମୁକାବିଲା ଓ ସମାଧାନ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ କଟକ ମହାନଗର ନିଗମ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

ବର୍ଷାଦିନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ସହିତ ଜଳବାହିତ ରୋଗର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦୁଇ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଥିଲେ । କେବଳ କଟକ-ଭୁବନେଶ୍ୱରରେ ନୁହେଁ, ଏଭଳି ସମସ୍ୟା ଉପୁଜୁଥିବା ରାଜ୍ୟର ଅନ୍ୟ ସହରାଞ୍ଚଳ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭି.ସି. ଡ. ଏନ୍. ତିରୁମାଳା ନାୟକ, କଟକ ମହାନଗର ନିଗମ ଆୟୁକ୍ତ ଶ୍ରୀ ଅନାମ ଚରଣ ପାତ୍ର, NHAI ର Executive Director, EIC Works Department ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking