28.1 C
Bhubaneswar
Tuesday, May 6, 2025
Homeଓଡିଶାକଶ୍ମୀରରୁ ଓଡ଼ିଆ ପର୍ଯ୍ୟଟକଙ୍କ ମୃତଦେହ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କଶ୍ମୀରରୁ ଓଡ଼ିଆ ପର୍ଯ୍ୟଟକଙ୍କ ମୃତଦେହ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମ୍‌ରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମାଜରେ ହିଂସାର ସ୍ଥାନ ନାହିଁ। ଏହି ଆକ୍ରମଣ ଘଟଣରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି ଯେ, ଆହତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ। ଶୋକସନ୍ତପ୍ତ ଓ ପୀଡିତ ପରିବାର ସହିତ ଓଡ଼ିଶା ସରକାର ଅଛନ୍ତି। ଜମ୍ମୁ କଶ୍ମୀର‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ମୃତ ଓଡ଼ିଆ ପର୍ଯ୍ୟଟକଙ୍କ ମୃତଦେହ ପହଞ୍ଚାଇବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

ଜମ୍ମୁ କଶ୍ମୀରର ପହଲଗାମରେ ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ତଥା ବାଲେଶ୍ବର ସିପେଟ୍‌ର ଆକାଉଣ୍ଟାଣ୍ଟ ପ୍ରଶାନ୍ତ ଶତପଥୀ ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପୁଲିସ ବେଶରେ ଆସି ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଏହି ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ଆଶଙ୍କା ରହିଛି। ଆତଙ୍କବାଦୀମାନେ ୪୦ରୁ ୫୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଆକ୍ରମଣ ଘଟଣା ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଯାଞ୍ଚ କରୁଛି। ଏହି ଅଭାବନୀୟ ଘଟଣାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେଉଁ ପରିବାର ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking