28.1 C
Bhubaneswar
Sunday, September 8, 2024
Homeଓଡିଶାସଫଳ ହେଲେ ମୋହନ

ସଫଳ ହେଲେ ମୋହନ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ରାଜନୈତିକ ଗୋଟି ଚାଳନା କରିଥିଲେ ସେଥିରେ ସେ ସଫଳ ହୋଇଥିବା କୁହାଯାଉଛି । ଆଜି ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି । ବିରୋଧୀ ଆରମ୍ଭରୁ ଯେଉଁ ହୋ ହଲ୍ଲା କରି ରାଜ୍ୟପାଳଙ୍କୁ କୁହାଇ ଦେଲେ ନାହିଁ ବୋଲି ରାଜନୈତିକ ମହଲରେ ଯେଉଁ ଆକଳନ କରାଯାଉଥିଲା ସେପରି କିଛି ବିଧାନସଭାରେ ଦେଖାଗଲା ନାହିଁ । ଏଣୁ ରବିବାର ନବୀନ ନିବାସ ଯାଇ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଯାଇ ସାକ୍ଷାତ କରି ଯେଉଁ ନୂଆ ପରମ୍ପରା ସୃଷ୍ଟି କରିଥିଲେ ସେଥିରେ ସେ ସଫଳ ହେଲେ ବୋଲି ମତ ଦିଆଯାଉଛି ।

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ବିରୋଧୀଙ୍କ ପାଇଁ ବିଧାନସଭା ଅଧିବେଶନରେ ଏହା ଏକ ବଡ଼ ଅସ୍ତ୍ର ଥିଲା । ରାଜ୍ୟପାଳ ଏହି ଘଟଣାରେ ଆଇନ୍‌କୁ ତା’ ବାଟରେ ଯିବାକୁ ଦେଇ ନଥିବାରୁ ବିରୋଧୀଙ୍କ ପାଇଁ ବିରୋଧ କରିବାର ଯୁକ୍ତି ସଂଗତ କାରଣ ଥିଲା । କେବଳ ହାଲୁକା ପ୍ରତିବାଦ କରି ଚୁପ୍ ରହିଲେ ବିରୋଧୀ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି । କାରଣ ଏହା ଏକ ଛୋଟିଆ ଘଟଣଶ ନୁହେଁ । ରାଜ୍ୟପାଳଙ୍କ ପୁଅ ମାଡ଼ରେ ସରକାରୀ ଅଧିକାରୀ ଜଣଙ୍କ ଆହତ ହୋଇଥିବାର ଫଟୋ ପ୍ରକାଶ ପାଇ ସାରିଛି । ସେ ମଧ୍ୟ ରାଜ୍ୟପାଳଙ୍କ ସଚିବଙ୍କୁ ଲିଖିତ ଅଭିଯୋଗ କରି ସାରିଛନ୍ତି । ଏ ନେଇ ଯେଉଁ କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ଏ ପର୍ଯ୍ୟନ୍ତ ନିଆ ଯାଇ ନାହିଁ କି ନେବା ଭଳି ସୂଚନା ମିଳୁ ନାହିଁ । ଅନ୍ୟପଟରେ ମାଡ଼ ଖାଇଥିବା ଅଧିକାରୀ ଜଣଙ୍କୁ ରାଜଭବନରୁ ବଦଳ କରି ଦିଆଯାଇଛି । ରାଜ୍ୟପାଳ ସାମ୍ବିଧାନିକ ମୁଖ୍ୟ ଭାବରେ ଆଇନ୍‌କୁ ସମ୍ମାନ ଦେଉ ନଥିବାରୁ ତାଙ୍କୁ ବିଧାନସଭାରେ ବିରୋଧୀ ବିରୋଧ କରିବାର ଯଥେଷ୍ଟ କାରଣ ଥିଲା । ଏଣୁ ରାଜ୍ୟପାଳ ଯେତେବେଳେ ବିଧାନସଭାରେ ତାଙ୍କର ଅଭିଭାଷଣ ଦେବାକୁ ଆସିଛନ୍ତି ବିରୋଧୀ ଯେଭଳି ଆଭିମୁଖ୍ୟ ରଖିବେ ବୋଲି ଆଶା କରାଯାଉଥିଲା ତାହା ହେଲା ନାହିଁ । ପ୍ରତିବାଦ ଜଣାଇବା ପାଇଁ କେବଳ କକ୍ଷ ତ୍ୟାଗରେ ହିଁ ବିରୋଧୀ ସିମିତି ରହିଲେ । କକ୍ଷତ୍ୟାଗ ପରେ ରାଜ୍ୟପାଳ ସୁରୁଖୁରୁରେ ତାଙ୍କ ଅଭିଭାଷଣ ରଖିଲେ । ବିଧାନସଭାରେ ଆଉ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ସରକାରଙ୍କୁ ହେଲା ନାହିଁ ।

ଏଣୁ କୁହାଯାଉଛି ଗତକାଲି ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସ ଯାଇ ନବୀନଙ୍କ ସହଯୋଗ ଲୋଡ଼ିବା ଦ୍ୱାରା ମୁଖ୍ୟ ବିରୋଧୀ ଦଳ ବିଜେଡି ନରମୀ ଗଲା । ମୁଖ୍ୟମନ୍ତ୍ରୀ ଯଦି ନବୀନଙ୍କ ପାଖକୁ ଯାଇ ନ ଥାଆନ୍ତେ ଓ ତାଙ୍କୁ ବିଧାନସଭା ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରି ନଥାଆନ୍ତେ ହୁଏତ ଆଜି ବିଧାନସଭାରେ ରାଜ୍ୟପାଳ ସୁରୁଖୁରୁରେ ଅଭିଭାଷଣ ରଖି ପାରି ନ ଥାଆନ୍ତେ ବୋଲି ଆଲୋଚନା ହେଉଛି । ବିଧାନସଭା ର୍ପୂବରୁ ଓଡ଼ିଶା କ’ଣ କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯାଇ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବାସ ଭବନରେ ଭେଟି ସହଯୋଗ ଲୋଡ଼ିବାର କୌଣସି ଉଦାହରଣ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ପରମ୍ପରା ସୃଷ୍ଟି କଲେ । ଏହା ତାଙ୍କୁ ସହାୟତା ମଧ୍ୟ ହେଲା ।

ଅନ୍ୟପଟରେ ବିଜେଡି କକ୍ଷତ୍ୟାଗ କରୁଥିବା ଦେଖି କଂଗ୍ରେସ ମଧ୍ୟ ସେହି ବାଟକୁ ଆପଣାଇଲା । କଂଗ୍ରେସର ଅସଜଡ଼ା ଘର ବିଜେପିକୁ ସହାୟକ ହେଲା । କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନକୁ ନେଇ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ତାରା ପ୍ରସାଦ ବାହିନୀପତିଙ୍କ ବଦଳରେ ରାମଚନ୍ଦ୍ର କାଡ଼ାମଙ୍କୁ ନେତା କରାଯାଇଛି । ଏହା ଫଳରେ ବାହିନୀପତିଙ୍କ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇଛନ୍ତି । ବିଧାନସଭାରେ କେଉଁ ଘଟଣାରେ କିପରି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନିଷ୍ପତ୍ତି ନିଆଯାଇ ପାରୁ ନାହିଁ । କଂଗ୍ରେସର ୧୪ ଜଣ ବିଧାୟକ ଅଛନ୍ତି । ସେମାନେ ଚାହିଁଥିଲେ ବି ଅନେକ କିଛଇ କରି ପାରିଥାଆନ୍ତେ । ଅତିତରେ କଂଗ୍ରେସର ଗୃହ ଭିତରେ ବିରୋଧ କେତେ ଶାଣିତ ରହୁଥିଲା ତାହା ଦେଖାଯାଇ ସାରିଛି । ଗତ ବିଧାନସଭାରେ କଂଗ୍ରେସର ୯ଜଣ ସଦସ୍ୟ ଥିଲେ । ସେମାନେ ମୁଖ୍ୟ ବିରୋଧୀ ଦଳର ଭୂମିକା ଅନେକ ଥର ଗ୍ରହଣ କରୁଥିବା ଦେଖାଯାଇଥିଲା । ହେଲେ ଏଥର ଯେ କାହିଁକି କଂଗ୍ରେସ ବିଧାୟକ ଦଳ ଏଭଳି ନରମ ଆଭିମୁଖ୍ୟ ବିଜେପି ସରକାର ପ୍ରତି ଗ୍ରହଣ କଲା ତାହା ବୁଝା ପଡ଼ୁ ନାହିଁ । ଯାହା ବି ହେଉ ଅଧିବଶେନର ପ୍ରଥମ ଦିନକୁ ସୁରୁଖୁରୁରେ ଚଳାଇ ନେବାରେ ମୋହନ ସରକାର ସଫଳ ହୋଇଛନ୍ତି ବୋଲି ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking