19.1 C
Bhubaneswar
Tuesday, February 3, 2026
Homeଓଡିଶାନୂଆ ମୁଖ୍ୟସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଟାସ୍କ; ଅପାରଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆ ମୁଖ୍ୟସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଟାସ୍କ; ଅପାରଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର: ୨୦୨୬ରେ ରାଜ୍ୟ ସରକାରଙ୍କ ଆଗରେ କ’ଣ ରହିବ ଚାଲେଞ୍ଜ। ପୁଣି ନୂଆ ବର୍ଷରେ ଦାୟିତ୍ୱ ନେଇଥିବା ମୁଖ୍ୟ ଶାସନ ସଚିବଙ୍କ ପାଖରେ ପ୍ରଶାସନିକ କଳରେ ଆହ୍ୱାନ କ’ଣ ? ନିର୍ବାଚନ ପ୍ରତିଶ୍ରୁତି ପୂରଣ ବାଦ୍ ସରକାରଙ୍କ ପାଇଁ ଏ ବର୍ଷ ସବୁଠି ବଡ଼ ଚାଲେଞ୍ଜ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ। ଦୁର୍ନୀତିରେ ରୋକ ବି ବଡ଼ ଆହ୍ୱାନ ରହିବ। ଆଉ ଏ ଭିତରେ ଓଡ଼ିଶା ପ୍ରଶାସନକୁ ଆହୁରି ଗତିଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ସୂତ୍ରୀ ଟାସ୍କ ଦେଇଛନ୍ତି। ଆଜିଠୁ କାର୍ଯ୍ୟରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଆଉ ପ୍ରଥମ ଦିନରେ ହିଁ ଓଡ଼ିଶା ପ୍ରଶାସନକୁ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଶ୍ରୀମତୀ ଗର୍ଗଙ୍କୁ ୧୫ଟି ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ୨ବର୍ଷ ପାଇଁ ସରକାର ରେଖାଙ୍କିତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଏବଂ ରାଜ୍ୟକୁ ଶ୍ରେଷ୍ଠ ୫ଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡ଼କୁ ନେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଜ୍ଞାନ-ପରିଚାଳିତ ଶିଳ୍ପ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିଳ୍ପାୟନର ଦୃତ ବିକାଶ ପାଇଁ ସବୁ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ୍ କରିବାକୁ ଏହି ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିପରି ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଖାଲିଥିବା ସରକାରୀ ପଦ ପଦବୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷ ଏବଂ ପ୍ରଶିକ୍ଷିତ ଅଧିକାରୀଙ୍କ ସେବା ଉପରେ ଗୁରୁତ୍ୱ ଆରୋପ କରିବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ଶାସନ-ପ୍ରଶାସନକୁ ସ୍ୱଚ୍ଛ, ଦକ୍ଷ ଏବଂ ଚଳଚଞ୍ଚଳ କରିବା ପାଇଁ ଦୃଢ ସଂକଳ୍ପକୁ ସୂଚାଉଛି। ଏଥି ସହିତ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ଭାବେ ସମୀକ୍ଷା ଓ ମୂଲ୍ୟାୟନ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି। ଗବେଷଣା ଓ ମୂଲ୍ୟାୟନକୁ ଜୋର୍ ଦେବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସବୁପ୍ରକାର ସରକାରୀ କାର୍ଯ୍ୟ, ବିଶେଷ ଭାବେ ନୋଟିସ୍‌, ବିଜ୍ଞପ୍ତି, ପତ୍ର ବିନିମୟକୁ କେବଳ ଓଡ଼ିଆ ଭାଷାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶକୁ କଡାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି। ଏହି ଦିଗରେ ଖିଲାଫକାରୀଙ୍କୁ କୈଫିୟତ ତଲବ କରିବା ପାଇଁ ବି କୁହାଯାଇଛି। ତେଣୁ ଓଡ଼ିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ଓ ତହସିଲ୍‌ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ୍ ମିଡିଆକୁ ବହୁଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଲୋକଙ୍କ ସମସ୍ୟାକୁ ନିଜ ଆଖିରେ ଦେଖି ତାହାର ସମାଧାନ କରିବା ପାଇଁ ସବୁସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ସହିତ ସବୁ ଅଧିକାରୀଙ୍କୁ ପରିଦର୍ଶନର ଫଳାଫଳ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ବିବେଚିତ ହେବ। ଏହି ପନ୍ଦର-ସୂତ୍ରୀ ପରାମର୍ଶ/ନିର୍ଦ୍ଦେଶିକା ରାଜ୍ୟ ଶାସନ ପ୍ରଶାସନକୁ ନିଶ୍ଚିତ ଭାବେ ଚଳ ଚଞ୍ଚଳ କରିବ। ଏହି ନିର୍ଦ୍ଦେଶିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଶାସନକୁ ସ୍ୱଚ୍ଛ, ଦକ୍ଷ, ଲୋକାଭିମୁଖୀ, ତଥା ଗତିଶୀଳ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking