24.1 C
Bhubaneswar
Monday, March 23, 2026
Homeଓଡିଶାପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଦଳିବ ଶ୍ରେଣୀ ଚିତ୍ର

ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଦଳିବ ଶ୍ରେଣୀ ଚିତ୍ର

ଭୁବନେଶ୍ୱର: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍‌ର (ପ୍ରଥମରୁ ତୃତୀୟ ଶ୍ରେଣୀ) ପରିବେଶ ବଦଳିବ। ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି।

ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି। ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍‌, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ। ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ।

ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା। ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା। ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥିପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି। ଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ(ଉଭୟ ଅନ୍ଲାଇନ ଓ ଅଫ୍ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି। ପରବର୍ତ୍ତୀ ସମୟରେ ଅବଶିଷ୍ଟ ଜିଲ୍ଲାକୁ ଏଥିରେ ସାମିଲ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking