କନ୍ଧମାଳ : ଶିଶୁପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହିଭଳି ଲଜ୍ଜାଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ । ଛାତ୍ରୀ ନିବାସରେ ରହି ପଡୁଥିବା ନାବାଳିକା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ଘଟଣା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ, ପୀଡ଼ିତାର ପରିବାର ଲୋକ ଗୋଚ୍ଛାପଡ଼ା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଛାତ୍ରୀ ଜଣକ ଲୋକ ଲଜ୍ୟା ଭୟରେ ନିଜ ଘରେ ହିଁ ଶିଶୁ ପୁତ୍ରକୁ ଧରି ରହିଛନ୍ତି । ଉଭୟ ମା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେଟା ଭଲ ନଥିଲେ ମଧ୍ୟ, ଲୋକ ଲଜ୍ୟା ଭୟରେ ଚିକିତ୍ସା ପାଇଁ ମେଡିକାଲକୁ ମଧ୍ୟ ଯାଉନଥିବା ଜଣାପଡ଼ିଛି । ତେବେ ସୂଚନା ଅନୁସାରେ, ଗତବର୍ଷ ପୀଡ଼ିତା ନାବାଳିକା ଜଣକ ଛୁଟିରେ ଘରକୁ ଯାଇଥିବା ବେଳେ ଜଣେ ଯୁବକ ସହିତ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ଛୁଟି ସରିବା ପରେ ସେ ବିଦ୍ୟାଳୟକୁ ଆସି ହଷ୍ଟେଲରେ ରହି ପାଠ ପଢ଼ୁଥିଲା ଏବଂ ଗର୍ଭବତୀ ମଧ୍ୟ ହୋଇଥିଲା । ଗତମାସ ଏହା ଜଣାପଡ଼ିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘର ଲୋକଙ୍କୁ ଡ଼ାକି ୮ ମାସର ଗର୍ଭବତୀ ଥିବା ପୀଡ଼ିତା ଛାତ୍ରୀକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତାପରେ ପରିବାର ଲୋକ ଯାଇ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଥିଲେ । ଗତ ୧ ତାରିଖ ଦିନ ପୀଡ଼ିତା ଛାତ୍ରୀ ଜଣକ ନିଜ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।










