ଭୁବନେଶ୍ୱର: ସିଆଇଆଇ ଇଣ୍ଡିଆନ୍ ମହିଳା ନେଟୱର୍କ (ଆଇଡବ୍ଲୁଏନ୍) ଓଡ଼ିଶା, ବ୍ରିଟିଶ ଡେପୁଟି ହାଇ କମିଶନ, କୋଲକାତା ଏବଂ ଚିଭନିଂ ଇଣ୍ଡିଆ ସହଯୋଗରେ ‘ସୁସ୍ଥାୟୀ ଭବିଷ୍ୟତ ପାଇଁ ଜଳବାୟୁ ସହନଶୀଳତା ଓ ସ୍ୱଚ୍ଛ ରୂପାନ୍ତରଣ’ ବିଷୟରେ ଏକ ଆଲୋଚନା ସଭା ଭୁବନେଶ୍ୱରର ଲାଇଫ୍ ହୋଟେଲରେ ଆୟୋଜିତ ହୋଇଥିଲା। ଏହି ସଭାରେ କାର୍ବନ ନିସ୍ସରଣ କମାଇବା, ନବୀକରଣ ଉର୍ଜା ପ୍ରଚାର, ସୁସ୍ଥାୟୀ ଅବଞ୍ଜନା ପରିଚାଳନା ଏବଂ ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ବ୍ୟବହାରିକ ସମାଧାନ ଉପରେ ଆଲୋଚନା ହୋଇଥିଲା, ଯେଉଁଥିରେ ଓଡ଼ିଶାର ପରିବେଶଗତ ଓ ଶିଳ୍ପଗତ ପରିପ୍ରେକ୍ଷ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ସଭାରେ ସିଆଇଆଇ ଆଇଡବ୍ଲୁଏନ୍ ଓଡ଼ିଶା ଅଧ୍ୟକ୍ଷା ଶ୍ରୀମତୀ ଜୁବିନା ଆଲି, ସିଆଇଆଇ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ ମହାନ୍ତି, ବ୍ରିଟିଶ ଡେପୁଟି ହାଇ କମିଶନର, କୋଲକାତା ଡ଼ା. ଆଣ୍ଡ୍ରୁ ଫ୍ଲେମିଙ୍ଗ, ଚିଭନିଂ ଇଣ୍ଡିଆର ମୁଖ୍ୟା ଶ୍ରୀମତୀ ସୁପ୍ରିୟା ଚାଵଲା ଏବଂ ସିଆଇଆଇ ଆଇଡବ୍ଲୁଏନ୍ ଓଡ଼ିଶା କୋ-ଚେୟାର ଶ୍ରୀମତୀ ସ୍ନେହପ୍ରଭା ଦାସ ଉପସ୍ଥିତ ରହି ସୁସ୍ଥାୟୀ ଭବିଷ୍ୟତ ପାଇଁ ଶିଳ୍ପ, ନୀତି ଏବଂ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସଭାଟି ଅନ୍ତର୍କ୍ରିୟାତ୍ମକ ଆଲୋଚନା ଓ ନେଟୱର୍କିଂ ସହ ଉପସମାପ୍ତ ହୋଇଥିଲା।










