କୋଲକାତା: ପଡ଼ୋଶୀ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ଉପରେ ଚିନ୍ତା ପ୍ରକଟ ପୂର୍ବକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାଜ୍ୟ ବିଧାନସଭାରେ ଏକ ବଡ଼ କଥା କହିଛନ୍ତି। ମମତା ବାଂଲାଦେଶରେ ହିନ୍ଦୁମାନଙ୍କୁ ଦିଆଯାଉଥିବା ନିର୍ଯ୍ୟାତନା ପ୍ରସଙ୍ଗରେ ଟିପ୍ପଣୀ ଦେଇଛନ୍ତି। ଅନ୍ତର୍ଜାତୀୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ସେ ଏବଂ ତାଙ୍କ ସରକାର ରହିଥିବା କଥା କହିଛନ୍ତି। ମମତା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବିଚାରଗତ ମତଭେଦ ରହିଥାଇପାରେ। କିନ୍ତୁ ଯେତେବେଳେ ଦେଶର ଏକତା ଉପରେ ପ୍ରଶ୍ନ ଆସିବ ସେତେବେଳେ ସେ ଏବଂ ତାଙ୍କ ସରକାର ସଦାସର୍ବଦା କେନ୍ଦ୍ର ସରକାରଙ୍କ ସହ ଛିଡା ହୋଇଆସିଛନ୍ତି ଏବଂ ଆଗକୁ ମଧ୍ୟ ଏହି ନୀତି ଜାରି ରହିବ। ଯଦି କୌଣସି ଧର୍ମର ଲୋକଙ୍କ ପ୍ରତି ଅତ୍ୟାଚାର ହେଉଛି, ତେବେ ସେ ଏବଂ ତାଙ୍କ ସରକାର ଏହାକୁ ଦୃଢ ନିନ୍ଦା କରୁଛନ୍ତି। ଯଦି ବାଂଲାଦେଶରେ କୌଣସି ଧର୍ମର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଏ, ତେବେ ଏହାକୁ କେହି ମଧ୍ୟ ସମର୍ଥନ କରିବା ଉଚିତ୍ ନୁହେଁ। ବାଂଲାଦେଶରେ ହିନ୍ଦୁ ଧର୍ମ ପ୍ରଚାରକ ତଥା ଇସ୍କନ୍ ଧର୍ମାବଲମ୍ବୀ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ବ୍ରହ୍ମଚାରୀଙ୍କ ଗିରଫଦାରୀ ଉପରେ ମମତା କହିଛନ୍ତି ଯେ, ସେ ଏଠାରେ (ପଶ୍ଚିମବଙ୍ଗ) ଇସ୍କନର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ତେବେ ଏହା ଅନ୍ୟ ଦେଶର ବିଷୟ ହୋଇଥିବାରୁ କେନ୍ଦ୍ର ସରକାର ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସେ ବିଶ୍ୱାସ କରନ୍ତି।
ବାଂଲାଦେଶ ପୁଲିସ୍ ଗତ ସୋମବାର ଢାକା ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରୁ ହିନ୍ଦୁ ଗୋଷ୍ଠୀ ‘ସମ୍ମିଳିତ ସନାତନ ଜୋତ’ର ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଏପରିକି ବାଂଲାଦେଶର ଏକ କୋର୍ଟ ମଧ୍ୟ ତାଙ୍କ ଜାମିନ୍କୁ ନାମଞ୍ଜୁରି କରିଦେଇଛନ୍ତି ଏବଂ ଜେଲ୍ ପଠାଇଦେଇଛନ୍ତି। ଏହା ପରେ ଚିନ୍ମୟ ଦାସଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସି ହିଂସାତ୍ମକ ବିରୋଧ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ସସାମ୍ବାଦିକଙ୍କ ସମେତ ଅତି କମରେ ୧୦ ଜଣ ଆହତ ହୋଇଥିଲେ। ବାଂଲାଦେଶ ସମେତ ଭାରତରେ ମଧ୍ୟ ଏହା ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାପୂର୍ବରୁ ବୁଧବାର ତ୍ରୂଣମୂଳ କଂଗ୍ରେସ ଏମପି ଅଭିଷେକ ବାନାର୍ଜୀ ଏବଂ ବରିଷ୍ଠ ନେତା ସୌଗତ ରୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଷେକ ବାନାର୍ଜୀ କହିଛନ୍ତି, ବାଂଲାଦେଶରେ ଯାହା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ନିର୍ଣ୍ଣାୟକ ପଦକ୍ଷେପ ନେବା ଉଚିତ୍। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଏହି ହିଂସାକୁ ନିନ୍ଦା କରି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରକୁ ‘ମୌଳବାଦୀଙ୍କ କବଳରେ’ ବୋଲି ବର୍ଣ୍ଣନା କରିଛନ୍ତି। ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏବଂ ଧାର୍ମିକ ନେତାଙ୍କ ଗିରଫଦାରୀ ଅମାନବୀୟ ଏବଂ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେହିପରି ଏହି ଘଟଣାରେ ମିଳିତ ଜାତିସଂଘକୁ ହସ୍ତକ୍ଷେପ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଂଲାଦେଶରେ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ (ଇସ୍କନ୍)ର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନ ଉପରେ ସେଠାକାର ହାଇକୋର୍ଟ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସରକାରୀ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସୁତରାଂ ପ୍ରତିବନ୍ଧକ ଲଗାଯିବାର କୌଣସି ପ୍ରାସଙ୍ଗିକତା ନାହିଁ।