ନୂଆଦିଲ୍ଲୀ: ପରମାଣୁ ଶକ୍ତି ବଢ଼ାଉଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ଭାରତ ଧୂଳି ଚଟାଇବା ପରେ ପାକିସ୍ତାନ ମନରେ ଛନକା ପଶିଯାଇଛି । ତେଣୁ ଏପରି ପଦକ୍ଷେପ ନେବା ଆରମ୍ଭ କରିଛି ଇସ୍ଲାମାବାଦ । ବିଶେଷକରି ପରମାଣୁ ଅସ୍ତ୍ରର ଆଧୁନିକୀକରଣ ପାଇଁ ଯୋଜନା କରୁଛି ଅମାନିଆ ପାକିସ୍ତାନ । ଏନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଗୁମର ଖୋଲିଦେଇଛି ।
ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନ ଭାରତକୁ ତା’ର ପରମଶତ୍ରୁ ଭାବେ ଗଣନା କରୁଛି । ଭାରତ ବିରୋଧରେ ସବୁବେଳେ ଷଡ୍ଯନ୍ତ୍ର କରିଆସୁଥିବା ପାକିସ୍ତାନ ନିଜକୁ ଶକ୍ତିଶାଳୀ କରିବାକୁ ପଦକ୍ଷେପ ନେଉଛି । ଅପରେସନ୍ ସିନ୍ଦୂର ପୂର୍ବରୁ ପାକିସ୍ତାନୀ ନେତାମାନେ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ । ହେଲେ ଅପରେସନ୍ ସିନ୍ଦୂର ଜରିଆରେ ପରମାଣୁ ବ୍ଲାକମେଲିଂ ଆଉ କାମ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ରୋକଠୋକ୍ ଭାଷାରେ ପାକିସ୍ତାନ ଓ ବିଶ୍ବବାସୀଙ୍କୁ ଏହା ଜଣାଇଦେଇଛନ୍ତି । ଏହାସହ ପାକିସ୍ତାନ ପରି ଦେଶ ପରମାଣୁ ଅସ୍ତ୍ରର ଗୁରୁତ୍ବକୁ କେତେ ଠିକ୍ ଭାବେ ବୁଝେ ଓ ଏହାର ସୁରକ୍ଷା ପାଇଁ କେତେ ପ୍ରତିଶ୍ରୁତିବଦ୍ଧ ତାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଶ୍ନ ଉଠାଇଥିଲେ । ଏପରିକି ଅନ୍ତର୍ଜାତୀୟ ଆଣବିକ ନୀରିକ୍ଷଣ ସଂସ୍ଥା ଏହା ଉପରେ କଡ଼ା ଦୃଷ୍ଟି ରଖିବାକୁ ଭାରତ କହିଛି । ଏପରି ପରିପ୍ରେକ୍ଷୀରେ ପାକିସ୍ତାନ ପରମାଣୁ ଶକ୍ତି ବଢ଼ାଇବାର ଖବର ବେଶ୍ ଚିନ୍ତାଜନକ ।
ସେପଟେ ପାକିସ୍ତାନକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଶଶି ଥରୁର । ଆତଙ୍କୀଙ୍କୁ ସହାୟତା ପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ । କାରଣ ଇସ୍ଲାମାବାଦ ଆତଙ୍କବାଦ ନିୟନ୍ତ୍ରଣ ପାଇଁ ଗୁରୁତ୍ବ ଦେଉଥିବା ଦର୍ଶାଇବାରେ ଫେଲ ମାରିଛି । ଆମେରିକାରେ ପାକିସ୍ତାନକୁ ଏଭଳି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଶଶି ଥରୁର । ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅପରେସନ୍ ସିନ୍ଦୂର ସମ୍ପର୍କରେ ସହଯୋଗୀ ରାଷ୍ଟ୍ରଙ୍କୁ ଅବଗତ କରାଉଛି ଭାରତ । ଶଶି ଥରୁରୁଙ୍କ ନେତୃତ୍ବରେ ୭ ଜଣିଆ ପ୍ରତିନିଧି ଦଳ ଆମେରିକାରେ ଅଛନ୍ତି । ନ୍ୟୁୟର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଥରୁର କହିଛନ୍ତି, ପାକିସ୍ତାନ ଭାରତ ପରିସୀମା ଭିତରେ ନିୟନ୍ତ୍ରଣ କରିବାକୁ ଆତଙ୍କୀଙ୍କୁ ବ୍ୟବହାର କରୁଛି । ଜାମ୍ମୁ କାଶ୍ମୀର ଏବଂ ଭାରତରେ ଅଶାନ୍ତି ଖେଳାଇବା ଉଦେଶ୍ୟରେ ପହଲଗାମ ଆକ୍ରମଣ ହୋଇଥିଲା । ସେଥିପାଇଁ କେବଳ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା । ଏଥିପାଇଁ ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡିବ । ୨୦୧୬ ଉରୀ ଆକ୍ରମଣ ପାଇଁ ଏଲଓସିରେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା । ୨୦୧୯ ପୁଲୱାମା ଆତ୍ମଘତୀ ଆକ୍ରମଣ ପରେ ଭାରତ ଆତଙ୍କୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏବେ ଆମେ ପାକିସ୍ତାନ ସୀମା ଭିତରେ ପଶି ଆକ୍ରମଣ କରିଛୁ ।