26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପ୍ରାଣଘାତୀ ସାଜୁଛି ‘ଚିକୁନ୍‌ଗୁନିଆ’ ଭୂତାଣୁ; ୧୬ ଦେଶରେ ଭୟଙ୍କର ସ୍ଥିତି

ପ୍ରାଣଘାତୀ ସାଜୁଛି ‘ଚିକୁନ୍‌ଗୁନିଆ’ ଭୂତାଣୁ; ୧୬ ଦେଶରେ ଭୟଙ୍କର ସ୍ଥିତି

ୱାଶିଂଟନ: ବିଶ୍ୱର ପ୍ରାୟ ୧୬ଟି ଦେଶରେ ଚିକୁନ୍‌ଗୁନିଆ ଭୂତାଣୁ ଭୟଙ୍କର ଭାବେ ସଂକ୍ରମିତ ହେବାରେ ଲାଗିଛି । କେତେକାଂଶରେ ଏହା ପ୍ରାଣଘାତୀ ମଧ୍ୟ ସାବ୍ୟସ୍ତ ହେଇସାରିଲାଣି । ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ୭ହଜାରରୁ ଊର୍ଦ୍ଧ୍ୱ ଚିକୁନ୍‌ଗୁନିଆ ସଂକ୍ରମଣଜନିତ ମାମଲା ପଞ୍ଜିକୃତ ହୋଇସାରିଛି । ଚିକୁନ୍‌ଗୁନିଆର ଏପ୍ରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଚୀନ୍ ଏବଂ ଅନ୍ୟାନ୍ୟ ଦେଶକୁ ଯାତ୍ରା ପାଇଁ ସତର୍କତା ଜାରି କରିଛି । ଏଥିରେ ଦକ୍ଷିଣ ଆମେରିକାର ବୋଲିଭିଆ, ଚୀନ୍‌ର ଗୁଆଙ୍ଗଡୋଙ୍ଗ ପ୍ରଦେଶ, ମାଡାଗାସ୍କର, ମରିସସ୍‌, ମାୟୋଟ୍‌, ରିୟୁନିଅନ୍‌, ସୋମାଲିଆ ଏବଂ ଭାରତ ମହାସାଗର ଅଞ୍ଚଳର ଶ୍ରୀଲଙ୍କା, ବ୍ରାଜିଲ, କଲମ୍ବିଆ, ଭାରତ, ମେକ୍ସିକୋ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ଆଦି ଦେଶ ତଥା ଅଞ୍ଚଳକୁ ନଯିବା ପାଇଁ ସିଡିସି ଆମେରିକୀୟ ଯାତ୍ରୀମାନଙ୍କୁ ବିପଦ ବିଷୟରେ ସତର୍କ କରାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ମଧ୍ୟ ଏବଂ ଦକ୍ଷିଣ ଆମେରିକା, ଆଫ୍ରିକା, ଭାରତ ମହାସାଗର ଅଞ୍ଚଳ ଏବଂ ଏସିଆର ଅନେକ ସ୍ଥାନରେ ପ୍ରାୟ ୨.୪ ଲକ୍ଷ ଚିକୁନଗୁନିଆ ମାମଲା ପଞ୍ଜିକୃତ ହୋଇଛନ୍ତି । ଯେଉଁଥିରେ ୯୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଚୀନ୍‌ର ଦକ୍ଷିଣ ପ୍ରଦେଶ ଗୁଆଙ୍ଗଡୋଙ୍ଗ ପ୍ରାନ୍ତରେ ଜୁନ୍ ୨୦୨୫ ପର ଠାରୁ ଏପର୍ଯ୍ୟନ୍ତ ୭,୦୦୦ରୁ ଅଧିକ ମାମଲା ରେକର୍ଡ କରାଯାଇଛି । ୨୦୧୯ ପରେ ହଂକଂରେ ଚିକୁନଗୁନିଆର ପ୍ରଥମ ମାମଲା ସମ୍ପ୍ରତି ରିପୋର୍ଟ ହୋଇଛି । ତେବେ ସିଡିସି ଅନୁଯାୟୀ, ୨୦୧୯ ପରେ ଆମେରିକାରେ ସ୍ଥାନୀୟ ଭାବରେ ସଂକ୍ରମିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ମାସରେ ଚେତାବନୀ ଦେଇଥିଲା ଯେ, ଚିକୁନଗୁନିଆ ଏସୀୟ ଦେଶରୁ ୟୁରୋପ ପର୍ଯ୍ୟନ୍ତ ବିନାଶ ଆଣିପାରେ । ବର୍ତ୍ତମାନ ଏସିଆ ଏବଂ ୟୁରୋପର ଅନେକ ଦେଶରେ ଏହାର ମାମଲା ନିରନ୍ତର ବୃଦ୍ଧି ପାଉଛି । ହୁ’ କହିଥିଲା ଯେ ବର୍ତ୍ତମାନ ୧୧୯ ଦେଶର ପ୍ରାୟ ୫୬୦କୋଟି ଲୋକ ଚିକୁନଗୁନିଆ ସଂକ୍ରମଣର ବିପଦରେ ଅଛନ୍ତି । ୨୦୦୫ ମସିହାରେ ଚିକୁନଗୁନିଆ ଏକ ମହାମାରୀ ରୂପ ନେଇଥିଲା । ଗତ କିଛି ମାସ ମଧ୍ୟରେ ଲା ରିୟୁନିଅନ, ମାୟୋଟ୍ ଏବଂ ମରିସସ୍ ଭଳି ଦ୍ୱୀପପୁଞ୍ଜରୁ ମୋଡାଗାସ୍କର, ସୋମାଲିଆ ଏବଂ କେନିଆ ଭଳି ଆଫ୍ରିକୀୟ ଦେଶଗୁଡିକୁ ଚିକୁନଗୁନିଆ ଭୂତାଣୁ ସଂକ୍ରମିତ ହେବାରେ ଲାଗିଛି ।

ବିଶେଷଜ୍ଞଙ୍କ ମତରେ ଏହା ଏକ ଭାଇରାଲ ଜ୍ୱର ଯାହା ମଶା ମାଧ୍ୟମରେ ବ୍ୟାପିଥାଏ । ଏହା ଏଡିସ, ଏଜିପ୍ଟି ଏବଂ ଏଡିସ୍ ଆଲବୋପିକ୍ଟସ୍ ମଶା ଦ୍ୱାରା ବ୍ୟାପିଥିବା ଏକ ଭୂତାଣୁଜନିତ ରୋଗ । ଏହି ରୋଗ ଶରୀରରେ ଗଣ୍ଠି ଯନ୍ତ୍ରଣା ସୃଷ୍ଟି କରେ, ଯାହା ଚାଲିବା କଷ୍ଟକର କରିଥାଏ । ଯେତେବେଳେ ଏକ ମଶା ଚିକୁନଗୁନିଆ ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡିବା ପରେ ଅନ୍ୟ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡିଥାଏ, ସେତେବେଳେ ଏହି ଭୂତାଣୁ ଉକ୍ତ ସୁସ୍ଥ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିଥାଏ । ଏହା ସିଧାସଳଖ ସମ୍ପର୍କ ମାଧ୍ୟମରେ ବ୍ୟକ୍ତିରୁ ବ୍ୟକ୍ତି ବ୍ୟାପିନଥାଏ, କିନ୍ତୁ ସମାନ ସ୍ଥାନରେ ଏକ ସମୟରେ ଅନେକ ଲୋକଙ୍କୁ ଅସୁସ୍ଥ କରିପାରେ । ବିଶେଷକରି ବର୍ଷା ଋତୁରେ ଏହାର ପ୍ରକୋପ ବୃଦ୍ଧି ପାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking