21.1 C
Bhubaneswar
Tuesday, December 9, 2025
Homeଓଡିଶାମୁଖ୍ୟ ଶାସନସଚିବଙ୍କ ଡେଙ୍ଗୁ ସମୀକ୍ଷା; ଆକ୍ସନ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ମୁଖ୍ୟ ଶାସନସଚିବଙ୍କ ଡେଙ୍ଗୁ ସମୀକ୍ଷା; ଆକ୍ସନ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସମ୍ପର୍କରେ ବ୍ୟାପକ ଜନସଚେତନତା ପାଇଁ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା, ସମସ୍ତ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଡେଙ୍ଗୁ ରୋଗର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ରୋଗ ନବ୍ୟାପିବା ପାଇଁ କି କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସବିଶେଷ ସମୀକ୍ଷା କରି ଏଥି ନିମନ୍ତେ ସମ୍ପୃକ୍ତ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜ୍ୟସ୍ତରରେ ଆକ୍ସନ ପ୍ଲାନ୍ ଓ ଏସଓପି ରହିଛି । ଆକ୍ସନ ପ୍ଲାନ୍ ଅନୁସାରେ କାର୍ଯ୍ୟ କରିବା ସହ ଏସଓପି ଅନୁପାଳନକୁ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ରାଜ୍ୟରେ ଡେଙ୍ଗୁ ରୋଗର ସ୍ଥିତି ସମ୍ପର୍କରେ ସୂଚନା ଦେଇ ତଥ୍ୟ ଉପସ୍ଥାପନ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୧୨୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୭୪ଟି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର । ଜୁନ ମାସରେ ଆଜି ସୁଦ୍ଧା ୩୪,୪୭୬ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଅଦ୍ୟାବଧି ୨୬ ଟି ଜିଲ୍ଲାରୁ ୪୬୩ ଟି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନୁଗୁଳ, ଦେବଗଡ଼, ନୂଆପଡା ଓ ସୁବର୍ଣ୍ଣପୁର ଜିଲ୍ଲାରେ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଚଳିତ ଜୁନ ମାସ ସୁଦ୍ଧା ଏ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁରେ ମୃତ୍ୟୁବରଣ କରିଥିବା କୌଣସି ରିପୋର୍ଟ ଆସିନାହିଁ । ତେବେ ଡେଙ୍ଗୁ ଭୂତାଣୁ ଏଡିସ୍ ମଶା ସଂକ୍ରାମକ କାମୁଡ଼ା ଦ୍ୱାରା ଲୋକଙ୍କୁ ସଂକ୍ରମିତ କରୁଥିବାରୁ ଚଳିତ ବର୍ଷା ଋତୁକୁ ଦୃଷ୍ଟିରେ ରଖି ଏ ଦିଗରେ ବ୍ୟାପକ ଜନସଚେତନର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ୟୁଟ୍ୟୁବ୍ ବ୍ୟବହାର ସମେତ ଅନ୍ୟ ସାମାଜିକ ଗଣମାଧ୍ୟମ, ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ , ମୁଦ୍ରଣ, ବୈଦ୍ୟୁତିକ ଗଣମାଧ୍ୟମ ଆଦି ବ୍ୟବହାର ଜରିଆରେ ବ୍ୟାପକ ପ୍ରଚାର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ବିଭିନ୍ନ ବିଭାଗ ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । ଅନ୍ୟପକ୍ଷରେ ଯେପରି କୌଣସି ସ୍ଥାନରେ ବେଶୀ ଦିନ ପାଣି ଜମି ନରହେ, ସେଥିପାଇଁ ସପ୍ତାହରେ ଥରେ’ ଡ୍ରାଏ ଡେ’ ବିଭିନ୍ନ ସ୍ତରରେ ପାଳନ କରାଯାଉଥିବା ସମ୍ପର୍କରେ ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ସମସ୍ତ ବିଭାଗ ଓ ଜନସାଧାରଣଙ୍କ ସହଯୋଗରେ ରାଜ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଏବଂ ସଚେତନତା ସମ୍ପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା , ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ଇଡକୋର ପରିଚାଳନା ନିର୍ଦ୍ଦେଶକ ଉପେନ୍ଦ୍ର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ମହାନଗର ନିଗମର କମିଶନରମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking